ବିବିସି ଡକ୍ୟୁମେଣ୍ଟାରୀ ଉପରେ ନିଷେଧାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ଫେବୃଆରୀ ୬ରେ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀ ଉପରେ କେନ୍ଦ୍ରର ନିଷେଧାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସୁପ୍ରିମକୋର୍ଟ ଫେବୃଆରୀ ୬ରେ ଏହି ମାମଲାର ଶୁଣାଣି କରିବେ ।

ବିବିସି ଡକ୍ୟୁମେଣ୍ଟାରୀ ସହ ଲିଙ୍କ୍ ଥିବା ଟୁଇଟ୍ ହଟାଇବା ବିରୋଧରେ ସାମ୍ବାଦିକ ଏନ୍ ରାମ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ କିଛି ବୁଦ୍ଧିଜୀବୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି ‌।

ଏନ୍ ରାମ ଏବଂ ପ୍ରଶାନ୍ତ ଭୂଷଣଙ୍କ ତରଫରୁ ହାଜର ହୋଇ ବରିଷ୍ଠ ଓକିଲ ଚନ୍ଦ୍ର ଉଦୟ ସିଂ, ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ ଏକ ଖଣ୍ଡପୀଠରେ ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଜରୁରୀକାଳୀନ କ୍ଷମତାର ଉପଯୋଗ କରି ସାମ୍ବାଦିକ ଏନ୍ ରାମ ଓ ପ୍ରଶାନ୍ତ ଭୂଷଣଙ୍କ ଟ୍ୱିଟକୁ କିପରି ଡିଲିଟ୍ କରାଯାଇଥିଲା ତାହା ସେ ଖଣ୍ଡପୀଠ ସମ୍ମୁଖରେ କହିଥିଲେ।

ଏହାଛଡ଼ା ସେ ଅଜମେରର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଘଟଣାର ଉଦାହରଣ ମଧ୍ୟ ଦେଇଥିଲେ ‌।‌‌ ବିବିସି ଡକ୍ୟୁମେଣ୍ଟାରୀ ଦେଖିବାରୁ ଆଜମେର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୦ ଜଣ ଛାତ୍ରଙ୍କୁ ନିଲମ୍ବିତ ହୋଇଥିବା ବିଷୟରେ ଉଲ୍ଲେଖ କରିଛନ୍ତି।

Comments are closed.