କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରି

ନୂଆଦିଲ୍ଲୀ: କରୋନା କାରଣରୁ ମୃତ୍ୟୁ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦେବାକୁ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରି ମିଳିଛି। କୋର୍ଟ କହିଛନ୍ତି ଯେ ମୃତକଙ୍କ ପରିବାରକୁ ଏହି କ୍ଷତିପୂରଣ ଅନ୍ୟ କଲ୍ୟାଣକାରୀ ଯୋଜନାଠାରୁ ଭିନ୍ନ ହେବ। ଆବେଦନର ୩୦ ଦିନ ମଧ୍ୟରେ ଏହି ସହାୟତା ରାଶି ପ୍ରଦାନ କରାଯିବ | ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ।

ସେପ୍ଟେମ୍ବର ୨୩ରେ ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହା ଏବଂ ଏସ ବୋପାନ୍ନାଙ୍କ ଏକ ବେଞ୍ଚ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ସେହି ଦିନ କରୋନାରେ ହୋଇଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ସ୍ଥିର କରାଯାଇଥିବା ନେଇ କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଥିଲେ । କୋର୍ଟ ଏହା ଉପରେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ପ୍ରତିକୂଳ ପରିସ୍ଥିତିରେ ଭାରତ ଯାହା କରିପାରିବ ତାହା ଅନ୍ୟ କୌଣସି ଦେଶ କରିପାରିବେ ନାହିଁ। ଏହା ଖୁସିର ବିଷୟ ଯେ ଦୁଃଖ ଭୋଗୁଥିବା ଲୋକଙ୍କ ଲୁହ ପୋଛିବା ପାଇଁ କିଛି କରାଯାଉଛି |

ଜୁନ୍ ୩୦ରେ ସୁପ୍ରିମକୋର୍ଟ ନିଜ ଆଦେଶରେ କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କୁ କହିଥିଲେ। ଏପରି ବିପଦରେ ଲୋକଙ୍କୁ କ୍ଷତିପୂରଣ ଦେବା ସରକାରଙ୍କ ଆଇନଗତ କର୍ତ୍ତବ୍ୟ ବୋଲି କୋର୍ଟ କହିଥିଲେ। କିନ୍ତୁ କ୍ଷତିପୂରଣ ରାଶି କେତେ ହେବ ସେହି ନିଷ୍ପତ୍ତି କୋର୍ଟ ସରକାରଙ୍କ ଉପରେ ଛାଡ଼ି ଦେଇଥିଲେ । ତା’ପରେ ସୁପ୍ରିମକୋର୍ଟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) କୁ କ୍ଷତିପୂରଣ ରାଶି ସ୍ଥିର କରିବାକୁ ଏବଂ ୬ ସପ୍ତାହ ମଧ୍ୟରେ ରାଜ୍ୟମାନଙ୍କୁ ଜଣାଇବାକୁ କହିଥିଲେ। ପରେ ଏନଡିଏମଏ କୋର୍ଟରୁ ଅତିରିକ୍ତ ସମୟ ମାଗିଥିଲା। କୋର୍ଟଙ୍କ ନିଷ୍ପତ୍ତିର ପ୍ରାୟ ୧୨ ସପ୍ତାହ ପରେ କ୍ଷତିପୂରଣ ଉପରେ କେନ୍ଦ୍ର ନିଷ୍ପତ୍ତି ନେଇଥିଲା। ଏହାକୁ ବର୍ତ୍ତମାନ କୋର୍ଟ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି।

Comments are closed.