ମଣିପୁରରେ ମହିଳାଙ୍କ ପ୍ରତି ହିଂସାର କେତେ ମାମଲା ରୁଜୁ ହୋଇଛି ? କେନ୍ଦ୍ରକୁ ହିସାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଶାନ୍ତ ମଣିପୁରରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସୁପ୍ରିମକୋର୍ଟ ସୋମବାର ଏକ ବ୍ୟାପକ ବ୍ୟବସ୍ଥା କରିବାକୁ ମତବ୍ୟକ୍ତ କରିଛନ୍ତି। ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ମେ ୪ରେ ଘଟିଥିବା ବେଳେ ମାମଲା ରୁଜୁ କରିବା ପାଇଁ କାହିଁକି ୧୪ ଦିନ ଲାଗିଲା ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏପର୍ଯ୍ୟନ୍ତ କେତେ ଏଫ୍ଆଇଆର୍ ରୁଜୁ କରାଯାଇଛି ଓ ଏଥିମଧ୍ୟରୁ କେତେ ମହିଳା ମାନଙ୍କ ପ୍ରତି ଯୌନ ନିର୍ଯାତନା ସହ ଜଡ଼ିତ ତାର ହିସାବ ମାଗିଛନ୍ତି କୋର୍ଟ।

ଅନ୍ୟପକ୍ଷରେ କେନ୍ଦ୍ର ତରଫରୁ ହାଜର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ମଣିପୁର ହିଂସା ମାମଲାର ତଦନ୍ତ ସର୍ବୋଚ୍ଚ ନ୍ୟାୟାଳୟ ତଦାରଖ କଲେ କେନ୍ଦ୍ରର କୌଣସି ଆପତ୍ତି ନାହିଁ ।

ମଣିପୁର ହିଂସା ସହ ଜଡିତ ଆବେଦନ ଉପରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ ଶୁଣାଣି କରୁଛନ୍ତି ।

ଏହି ମାମଲାରେ ବରିଷ୍ଠ ଓକିଲ କପିଳ ସିବଲ ଯୌନ ନିର୍ଯାତନାର ଶିକାର ଦୁଇ ମହିଳାଙ୍କ ପାଇଁ ପକ୍ଷ ରଖିଥିଲେ। ସିବଲ କହିଥିଲେ ଯେ ସେମାନେ (ଦୁଇ ମହିଳା) ଏହି ମାମଲାରେ ଏକ ପିଟିସନ ଦାଖଲ କରିଛନ୍ତି।

ଜୁଲାଇ ୨୦ରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ମଣିପୁରରେ ଘଟିଥିବା ଏହି ଘଟଣାରେ ଆମେ ବହୁତ ଦୁଃଖିତ । ହିଂସା ଘଟାଇବା ପାଇଁ ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରିବା ସାମ୍ବିଧାନିକ ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ଭିଡିଓ ଜାଣିବା ପରେ ତୁରନ୍ତ ପ୍ରତିକାର, ପୁନଃ ଥଇଥାନ ଏବଂ ପ୍ରତିଷେଧକ ମୂଳକ ପଦକ୍ଷେପ ନେବାକୁ କେନ୍ଦ୍ର ଏବଂ ମଣିପୁର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା କାର୍ଯ୍ୟାନୁଷ୍ଠାନ ବିଷୟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଥିଲେ କୋର୍ଟ ।

ମେ ୪ରେ ମଣିପୁରରେ ଘଟିଥିବା ଏହି ଭିଡିଓ ସାମ୍ନାକୁ ଆସିବା ପରେ ସଡ଼କ ଠାରୁ ସଂସଦ ଯାଏଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ମଣିପୁରରେ ଦୁଇଜଣ ମହିଳାଙ୍କ ଉଲଗ୍ନ କରି ବୁଲାଇବା ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିବା ନେଇ କେନ୍ଦ୍ର ଜୁଲାଇ ୨୭ ରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା । ମହିଳାଙ୍କ ପ୍ରତି ଯେକୌଣସି ଅପରାଧ ମାମଲାରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି କହିଥିଲା କେନ୍ଦ୍ର ।

ଆଦିବାସୀ ମାନ୍ୟତା ଦେବାକୁ ମୈତେଇ ସମ୍ପ୍ରଦାୟର ଦାବି ବିରୋଧରେ ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ମେ ୩ରେ କୁକି ଓ ନାଗା ସମ୍ପ୍ରଦାୟ ଲୋକଙ୍କ ‘ଆଦିବାସୀ ଏକତା ମାର୍ଚ୍ଚ’ ପରେ ମଣିପୁରରେ ଘଟିଥିବା ହିଂସାରେ ଏଯାବତ୍ ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

Comments are closed.