ସାଂସଦ, ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାର ତଦାରଖ ପାଇଁ ସ୍ୱତନ୍ତ୍ର ପୀଠ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ଅପରାଧିକ ମାମଲାର ତଦାରଖ ପାଇଁ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ଗୁରୁବାର ଦେଶର ସବୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ନିଜଆଡୁ ଏପରି ମାମଲା ରୁଜୁ କରିବା ପାଇଁ ମଧ୍ୟ ହାଇକୋର୍ଟ ମାନଙ୍କୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜନ ପ୍ରତିନିଧୀ ମାନଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲା ଗୁଡ଼ିକର ଶୀଘ୍ର ଫଏସଲା ଦାବି କରି ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଦାୟର କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ହାଇକୋର୍ଟ ଏବଂ ନିମ୍ନ ଅଦାଲତଙ୍କୁ ବିଭିନ୍ନ ନିର୍ଦ୍ଦେଶ ଜାରି କରିଛନ୍ତି ।

ଜନ ପ୍ରତିନିଧୀଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୀଘ୍ର ଫଏସଲା ପାଇଁ ନିମ୍ନ ଅଦାଲତ ଗୁଡ଼ିକୁ ଏପରି ନିର୍ଦ୍ଦେଶାବଳୀ ଦେବା କଷ୍ଟକର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟରେ କୁହାଯାଇଛି ଯେ ଜନପ୍ରତିନିଧି ମାନଙ୍କ ବିରୋଧରେ ଅପରାଧିକ ମାମଲାର‌ ତଦାରଖ ପାଇଁ ହାଇକୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବେ। ଏପରି ଖଣ୍ଡପୀଠର ଅଧ୍ୟକ୍ଷତା ମୁଖ୍ୟ ବିଚାରପତି କିମ୍ବା ତାଙ୍କ ଦ୍ୱାରା ମନୋନୀତ ବେଞ୍ଚ କରିବେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଅପରାଧିକ ମାମଲାରେ ଜନ ପ୍ରତିନିଧୀଙ୍କ ବିରୋଧରେ ହାଇକୋର୍ଟ ସ୍ୱତନ୍ତ୍ର ଅଦାଲତରୁ ଷ୍ଟାଟସ୍ ରିପୋର୍ଟ ମାଗିପାରିବେ।

ସୁପ୍ରିମକୋର୍ଟ କହିଛନ୍ତି, ବିରଳ ତଥା ଅନିବାର୍ଯ୍ୟ କାରଣ ବ୍ୟତୀତ ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟଙ୍କ ବିରୋଧରେ ମାମଲାର ଶୁଣାଣି ସ୍ଥଗିତ ରଖାଯିବ ନାହିଁ।

ମୁଖ୍ୟ ବିଚାରପତି ତଥା ସେସନ୍ ଜଜ୍ ଜନ ପ୍ରତିନିଧୀଙ୍କ ସହ ଜଡ଼ିତ ସ୍ୱତନ୍ତ୍ର ଅଦାଲତର ଶୁଣାଣି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଏବଂ ଆନୁସଙ୍ଗିକ ସୁବିଧା ସୁନିଶ୍ଚିତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Comments are closed.