ବିକ୍ଷୋଭରତ ରେସଲରଙ୍କୁ ଝଟକା, କେସ୍ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଜନ୍ତର ମନ୍ତରଠାରେ ଧାରଣାରେ ବସିଥିବା ରେସଲରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ସେମାନଙ୍କ କେସ୍ ବନ୍ଦ କରିଛନ୍ତି ସୁପ୍ରିମକୋର୍ଟ ।

ଗୁରୁବାର ସୁପ୍ରିମକୋର୍ଟରେ କୁସ୍ତି ଖେଳାଳିଙ୍କ ମାମଲାର ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ପିଏସ୍ ନରସିଂହାଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲାର ଅଗ୍ରଗତି ନେଇ ଦିଲ୍ଲୀ ପୋଲିସ ରିପୋର୍ଟ ଦାଖଲ କରିଥିଲା । ସବୁ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇସାରିଛି। ନାବାଳିକା ରେସଲରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏଫ୍ଆଇଆର୍ ରୁଜୁ କରିବା ଏହି ପିଟିସନର ଉଦ୍ଦେଶ୍ୟ ଥିଲା, ଯାହା ପୂରଣ ହୋଇଛି ।

ଅଭିଯୋଗକାରୀଙ୍କୁ ସୁରକ୍ଷା ମଧ୍ୟ ଦିଆଯାଇଛି। ଏହି ସମସ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଏହି ମାମଲାର ଶୁଣାଣି ବନ୍ଦ କରାଯାଉଛି | ଯଦି ରେସଲରଙ୍କ ଆଉ କୌଣସି ସମସ୍ୟା ଅଛି ତେବେ ସେମାନେ ହାଇକୋର୍ଟ କିମ୍ବା ସମ୍ପୃକ୍ତ ମାଜିଷ୍ଟ୍ରେଟ କୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି କୋର୍ଟ କହିଥିଲେ।

ଉଲ୍ଲେଖଯୋଗ୍ୟ, କୁସ୍ତି ସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଦାବି କରି ରେସଲରମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏନେଇ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଥିଲେ । ଏପ୍ରିଲ ୨୮ରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ନେଇ ଦୁଇଟି ମାମଲା ରୁଜୁ କରିଥିଲା । ଏଥିମଧ୍ୟରୁ ଗୋଟିଏ ‘ପକ୍ସୋ’ଆଇନ ଅନୁଯାୟୀ ଦାଏର ହୋଇଥିଲା ।

Comments are closed.