ମହିଳାଙ୍କୁ ୨୬ ସପ୍ତାହର ଗର୍ଭ ନଷ୍ଟ ପାଇଁ ଅନୁମତି ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ୨୬ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି । କାରଣ ତାଙ୍କ ଗର୍ଭସ୍ଥ ଶିଶୁ ସୁସ୍ଥ ଅଛି ଏବଂ ଏମ୍ସ ମେଡିକାଲ ବୋର୍ଡ ମଧ୍ୟ ଏଥିରେ କୌଣସି ଜଟିଳତା ନଥିବା କହିଛି ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି, ଦୁଇ ପିଲାର ମାଆ ମହିଳାଙ୍କ ଗର୍ଭଧାରଣ କରିବାର ୨୬ ସପ୍ତାହରୁ ଅଧିକ ସମୟ ହେଇଗଲାଣି । ତେଣୁ ଗର୍ଭପାତ କରାଇବାକୁ ସର୍ବାଧିକ ଡ଼ାକ୍ତରୀ ସମୟସୀମା ଶେଷ ହୋଇଥିବାରୁ ତାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦିଆଯିବ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗର୍ଭସ୍ଥ ଶିଶୁ ୨୬ ସପ୍ତାହ ଓ ପାଞ୍ଚ ଦିନର ହୋଇଯାଇଥିବା ବେଳେ ମହିଳାଙ୍କୁ ଏବେ କୌଣସି ବିପଦ ନାହିଁ। ଗର୍ଭସ୍ଥ ଭ୍ରୁଣରେ ମଧ୍ୟ କୌଣସି ଜଟିଳତା ନାହିଁ।

ଖଣ୍ଡପୀଠ କହିଛନ୍ତି, “ଗର୍ଭଧାରଣ ୨୪ ସପ୍ତାହ ଅତିକ୍ରମ କରିଛି । ଏହାର ବୟସ ଏବେ ୨୬ ସପ୍ତାହ ଓ ପାଞ୍ଚ ଦିନ । ଡାକ୍ତରୀ ଦୃଷ୍ଟିକୋଣରୁ ଏବେ ଗର୍ଭପାତକୁ ଅନୁମତି ଦିଆଯାଇପାରିବ ନାହିଁ। ”

ଏହି ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ଥିଲେ ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ।

ଏହା ପୂର୍ବରୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଗର୍ଭପାତ ଆଇନକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନର ଶୁଣାଣି ଅଲଗା ହେବ । ବର୍ତ୍ତମାନର ମାମଲା ଆବେଦନକାରୀ ଏବଂ ରାଜ୍ୟ ମଧ୍ୟରେ ସୀମିତ ରହିବ।

ଗର୍ଭସ୍ଥ ଶିଶୁର କୌଣସି ଜଟିଳତା ଅଛି କି ନାହିଁ ସେନେଇ ସର୍ବୋଚ୍ଚ ଅଦାଲତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ମେଡିକାଲ ବୋର୍ଡରୁ ରିପୋର୍ଟ ମାଗିଥିଲେ।

ଅକ୍ଟୋବର ୯ର ଆଦେଶ ପ୍ରତ୍ୟାହାର କରିବାକୁ କେନ୍ଦ୍ରର ଆବେଦନ ଉପରେ କୋର୍ଟ ଆଜି ଶୁଣାଣି କରିଥିଲେ । ଅକ୍ଟୋବର ୯ ଆଦେଶରେ କୋର୍ଟ ୨୭ ବର୍ଷୀୟା ବିବାହିତା ମହିଳାଙ୍କୁ ଏମ୍ସରେ ଗର୍ଭପାତ କରାଇବାକୁ ଅନୁମତି ଦେଇଥିଲେ। କାରଣ ଦ୍ୱିତୀୟ ସନ୍ତାନର ଜନ୍ମ ପରେ ସେ ପ୍ରସବ ପରବର୍ତ୍ତୀ ମାନସିକ ଅବସାଦରେ ପୀଡ଼ିତ ବୋଲି ମହିଳା ଜଣକ କହିଥିଲେ ।

ଗର୍ଭପାତ ଆଇନ ଅନୁଯାୟୀ, ବିବାହିତା ମହିଳା, ବଳାତ୍କାର ପୀଡିତା ଏବଂ ଅନ୍ୟାନ୍ୟ ଦୁର୍ବଳ ମହିଳା ଯେପରିକି ଭିନ୍ନକ୍ଷମ ଏବଂ ନାବାଳିକା ଭଳି ବିଶେଷ ବର୍ଗର ମହିଳାଙ୍କ ପାଇଁ ଗର୍ଭପାତ କରାଇବାର ସର୍ବୋଚ୍ଚ ସୀମା ହେଉଛି ୨୪ ସପ୍ତାହ।

Comments are closed.