ଯୋଶୀମଠ ସଙ୍କଟ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ଯୋଶୀମଠ ସଙ୍କଟ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଏହି ମାମଲାର ଶୁଣାଣି ଜାନୁଆରୀ ୧୬ରେ କରିବେ ବୋଲି କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସର୍ବୋଚ୍ଚ ନ୍ୟାୟାଳୟକୁ ଆଣିବା ଆବଶ୍ୟକ ନୁହେଁ। ଅନେକ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅନୁଷ୍ଠାନ ଅଛି ଯାହା ଏହା ଉପରେ କାର୍ଯ୍ୟ କରୁଛନ୍ତି |

ଗତ କିଛି ଦିନ ମଧ୍ୟରେ ଯୋଶୀମଠର ଅନେକ ଘର ଏବଂ ରାସ୍ତାରେ ଫାଟ ସୃଷ୍ଟି ହେବା ସହ ମାଟି ଧସିବା ଯୋଗୁଁ ଏହି ସହରକୁ ‘ସଙ୍କିଙ୍ଗ୍ ଜୋନ୍’ ଘୋଷଣା କରାଯାଇଛି।

ଧାର୍ମିକ ନେତା ସ୍ବାମୀ ଅଭିମୁଖେଶ୍ୱରାନନ୍ଦ ଯୋଶୀମଠର ମାଟି ଧସିବା ସମ୍ପର୍କରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ଏକ ଖଣ୍ଡପୀଠ ସମ୍ମୁଖରେ ଏହି ମାମଲା ତାଲିକାଭୁକ୍ତ କରାଯାଇଥିଲା।

ଏହି ଆବେଦନରେ ଯୋଶୀମଠ ସଙ୍କଟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ଏବଂ ଯୋଶୀମଠର ବାସିନ୍ଦାଙ୍କୁ ସହାୟତା ଯୋଗାଇବା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏନଡିଏମ୍ଏ)କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା ।

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ ଏବଂ ବୁଧବାର ଏହି ମାମଲା ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ଦେଶର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସୁପ୍ରିମକୋର୍ଟ ନିକଟକୁ ଆଣିବାର କୌଣସି ଆବଶ୍ୟକତା ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅନୁଷ୍ଠାନ ଅଛନ୍ତି। ସେମାନେ ନିଜ ଅଧୀନରେ ଆସୁଥିବା ସମସ୍ୟା ଗୁଡିକର ମୁକାବିଲା କରିପାରିବେ। ଏହି ମାମଲାରେ ଆମ ଜାନୁଆରୀ ୧୬ରେ ଶୁଣାଣି କରିବୁ ।

Comments are closed.