ପୋଲିସକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଦେହଜୀବୀଙ୍କୁ ସମ୍ମାନର ସହ ବ୍ୟବହାର କର

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ରାୟ କ୍ରମେ ସୁପ୍ରିମକୋର୍ଟ ବେଶ୍ୟାବୃତ୍ତି ଆଇନ ସମ୍ମତ ବୋଲି କହିଛନ୍ତି । ଦେହଜୀବୀଙ୍କ ପ୍ରତି ସମ୍ମାନର ସହ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ମୌଖିକ କିମ୍ବା ଶାରୀରିକ ନିର୍ଯାତନା ଦେବାରୁ ନିବୃତ୍ତ ରହିବାକୁ କୋର୍ଟ କହିଛନ୍ତି।

ଦେହଜୀବୀଙ୍କ ଥଇଥାନ ପାଇଁ ଗଠିତ ଏକ ପ୍ୟାନେଲର ସୁପାରିଶ କ୍ରମେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କରୋନା ସମୟରେ ଦେହଜୀବୀ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଦାୟର ଏକ ଆବେଦନର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ।

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ବିଆର୍ ଗଭାଇ ଏବଂ ଏସ୍ ବୋପାନ୍ନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ଅନୈତିକ ବ୍ୟାପାର (ନିବାରଣ) ଆଇନ, ୧୯୫୬ ଅନୁଯାୟୀ ଏହି ଦେଶର ସେହି ସମସ୍ତ ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ କର୍ତ୍ତୃପକ୍ଷ ଧ୍ୟାନରେ ରଖିବା ଉଚିତ୍।

କୋର୍ଟ କହିଛନ୍ତି ଯେ ଯଦି ଜଣେ ଦେହଜୀବୀ ଯୌନ ନିର୍ଯାତନାର ଶିକାର ହୁଅନ୍ତି, ତେବେ ତାଙ୍କୁ ଆଇନ ଅନୁଯାୟୀ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବା ଉଚିତ। ଅଦାଲତ କହିଛନ୍ତି ଯେ ବେଳେ ବେଳେ ଦେଖାଯାଇଛି ପୋଲିସ ଦେହଜୀବୀଙ୍କ ପ୍ରତି ନିଷ୍ଠୁର ତଥା ହିଂସାତ୍ମକ ମନୋଭାବ ପୋଷଣ କରୁଛି। ପୋଲିସ୍ ଏବଂ ଅନ୍ୟ ଆଇନ ପ୍ରଣୟନକାରୀ ସଂସ୍ଥା ଗୁଡିକୁ ଯୌନ କର୍ମୀଙ୍କ ଅଧିକାର ପ୍ରତି ସମ୍ବେଦନଶୀଳ ହେବା ଉଚିତ|

ଏହାଛଡ଼ା ସୁପ୍ରିମକୋର୍ଟ ଦେହଜୀବୀଙ୍କ ଗିରଫ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କିମ୍ବା ଅନ୍ୟ କୌଣସି ମାମଲାରେ ଯୌନ କର୍ମୀଙ୍କ ପରିଚୟ ଯେପରି ଗୋପନୀୟ ରହିବ, ସେନେଇ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ ଉପଯୁକ୍ତ ଗାଇଡଲଇନ୍ ଜାରି କରିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Comments are closed.