ଲକ୍ଷ୍ମୀପୁର ହିଂସା ମାମଲା: ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ଘଟଣାରେ ସମସ୍ତ ସାକ୍ଷୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ ସାକ୍ଷୀଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଶୀଘ୍ର ରେକର୍ଡ ହେବା ଉଚିତ। ମାମଲାର ତଦନ୍ତ ସମୟରେ ମିଳିଥିବା ଭିଡିଓ ପ୍ରମାଣର ଲ୍ୟାବ୍ ପରୀକ୍ଷା ଶୀଘ୍ର ସାରିବାକୁ ମଧ୍ୟ କୋର୍ଟ ଏସଆଇଟିକୁ କହିଛନ୍ତି। ଏହାଛଡ଼ା ଉତ୍ତ୍ୟକ୍ତ ଭିଡ଼ ଦ୍ଵାରା ଆକ୍ରମଣରେ ଶ୍ୟାମ ସୁନ୍ଦର ଏବଂ ସାମ୍ବାଦିକ ରମଣ କାଶ୍ୟପଙ୍କ ମୃତ୍ୟୁ ଘଟଣାର ତଦନ୍ତ ନେଇ କୋର୍ଟ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି।

ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଗତ ଦୁଇ ଶୁଣାଣିରେ ୟୁପି ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ଷ୍ଟାଟସ୍ ରିପୋର୍ଟ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ସର୍ବୋଚ୍ଚ ନ୍ୟାୟାଳୟ ଆଜି କହିଛନ୍ତି ଯେ ତଦନ୍ତରେ ଅନେକ ଅଗ୍ରଗତି ହୋଇଛି। ଏହି ଘଟଣାରେ ଉପସ୍ଥିତ ୪-୫ ହଜାର ଲୋକଙ୍କ ଭିଡରୁ ମୁଖ୍ୟ ସାକ୍ଷୀଙ୍କୁ ଚିହ୍ନଟ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ୟୁପି ସରକାରଙ୍କ ତରଫରୁ କୋର୍ଟଙ୍କୁ କୁହାଯାଇଛି ଯେ ୬୮ ଜଣ ସାକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି | ୩୦ ଜଣ ସାକ୍ଷୀଙ୍କ ବୟାନ ସିଆରପିସିର ଧାରା ୧୬୪ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଛି | ଏହି ୩୦ ଜଣଙ୍କ ମଧ୍ୟରୁ ୨୩ ଜଣ ନିଜକୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ବୋଲି କହିଛନ୍ତି |

Comments are closed.