ଭାରତରେ ବିବିସିକୁ ବ୍ୟାନ୍ ପାଇଁ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ବିବିସି ଉପରେ ବ୍ଯାନ୍ ଲଗାଇବାକୁ ଦାବି କରି ହିନ୍ଦୁ ସେନା ତରଫରୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ହିନ୍ଦୁ ସେନା ନିଜ ପିଟିସନରେ ଯୁକ୍ତି କରିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ଯୋଗୁଁ ଭାରତରେ ଅଶାନ୍ତି ସୃଷ୍ଟି ହୋଇପାରେ । ତେଣୁ ଭାରତରେ ବିବିସିକୁ ବ୍ୟାନ୍ କରାଯାଉ।

ଭାରତର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, କୌଣସି ମିଡ଼ିଆ ଉପରେ ସେନ୍ସରସିପ ଲଗାଯାଇ ପାରିବ ନାହିଁ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏମ.ଏମ ସୁନ୍ଦ୍ରେଶଙ୍କ ଖଣ୍ଡପୀଠ କହିଛନ୍ତି ଯେ ବିଭ୍ରାନ୍ତିକର ଧାରଣାରୁ ଏପରି ଆବେଦନ କରାଯାଇଛି । କୋର୍ଟ ସେନ୍ସରସିପ୍ ଲଗାଇ ପାରିବେ ନାହିଁ।

ସୂଚନାଯୋଗ୍ୟ ଯେ ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ମୋଦୀ କ୍ବେଶ୍ଚିନ୍’ର ଦୁଇଟି ଅଧ୍ୟାୟ ପ୍ରସାରଣ ହୋଇଥିଲା । ଯଦିଓ ଏହି ଡକ୍ୟୁମେଣ୍ଟାରୀ ଭାରତରେ ପ୍ରସାରିତ ହୋଇନଥିଲା, ତେବେ କେନ୍ଦ୍ର ସରକାର ଇଣ୍ଟରନେଟରେ ଏହି ଡକ୍ୟୁମେଣ୍ଟାରୀ ଲିଙ୍କ୍ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ |

ଏହାର ସ୍କ୍ରିନିଂକୁ ନେଇ ଅନେକ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା ।

Comments are closed.