୨୩ ମାସ ପରେ ସାମ୍ବାଦିକ ସିଦ୍ଦିକି କପ୍ପନଙ୍କୁ ଆଶ୍ବସ୍ତି, ସୁପ୍ରିମକୋର୍ଟ ଦେଲେ ଜାମିନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କେରଳର ସାମ୍ବାଦିକ ସିଦ୍ଦିକି କପ୍ପନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୩ ମାସ ପରେ ଜେଲରୁ ମୁକୁଳିବେ କପ୍ପନ । ହାଥରସରେ ଜଣେ ଦଳିତ ଝିଅକୁ ବଳାତ୍କାର ଓ ହତ୍ୟା ମାମଲାରେ କପ୍ପନ ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ଅକ୍ଟୋବର ୨୦୨୦ରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିଥିଲା ।

ସୁପ୍ରିମକୋର୍ଟ କପ୍ପନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଉତ୍ତରପ୍ରଦେଶର ଜେଲରୁ ମୁକୁଳିବା ପରେ କପ୍ପନ ଆଗାମୀ ୬ ସପ୍ତାହ ପାଇଁ ଦିଲ୍ଲୀରେ ରହିବେ । ଏହା ପରେ ସେ କେରଳ ଯାଇପାରିବେ। ଏହାଛଡ଼ା ତାଙ୍କୁ ପ୍ରତି ସୋମବାର ପୋଲିସ ଷ୍ଟେସନରେ ହାଜର ହେବା ସହିତ ପାସପୋର୍ଟ ସରେଣ୍ଡର କରିବାକୁ ପଡିବ।

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅନୁଯାୟୀ ସିଦ୍ଦିକି କପ୍ପନଙ୍କୁ ଗିରଫ କରାଯାଇଥିଲା। ସେତେବେଳେ କପ୍ପନ ହାଥରସ୍ ଗଣବଳାତ୍କାର ଓ ହତ୍ୟା ଘଟଣା କଭର୍ କରିବାକୁ ଯାଉଥିଲେ। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଏକ ଖଣ୍ଡପୀଠ କପ୍ପନଙ୍କୁ ଜାମିନ ପ୍ରଦାନ କରିଛି। ତେବେ କୋର୍ଟ ଏବଂ ପୋଲିସକୁ ନ ଜଣାଇ ସେ ଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ। ୬ ସପ୍ତାହ ପରେ ହିଁ ସେ କେରଳ ଯାଇପାରିବେ | ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ମଧ୍ୟ ଜାମିନ ଆବେଦନ କରିବାକୁ କପ୍ପନଙ୍କୁ ସ୍ୱାଧୀନତା ଦିଆଯାଇଛି।

ଶୁଣାଣି ସମୟରେ କପ୍ପନଙ୍କ ବିରୋଧରେ ଚାର୍ଜ ପ୍ରେମ୍ କରିବାରେ ବିଫଳ ହୋଇଥିବାରୁ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଥିଲେ । କୋର୍ଟ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାଧୀନ ଅଭିବ୍ୟକ୍ତିର ଅଧିକାର ଅଛି। କପ୍ପନ ବଳାତ୍କାର ପୀଡିତାକୁ ନ୍ୟାୟ ଜରୁରୀ ଏବଂ ସର୍ବସାଧାରଣରେ ଏଥିପାଇଁ ସ୍ୱର ଉଠାଇବା ଆବଶ୍ୟକତା ରହିଛି ବୋଲି କହିବାକୁ ଚାହୁଁଥିଲ।

ଅକ୍ଟୋବର ୨୦୨୦ ରେ କପ୍ପନଙ୍କ ସମେତ ଚାରି ଜଣଙ୍କୁ ୟୁପି ପୋଲିସ ମଥୁରାରୁ ଗିରଫ କରିଥିଲା। ପୋଲିସ୍ ଦାବି କରିଥିଲା ଯେ କପ୍ପନ୍ ଉଗ୍ରବାଦୀ ଗୋଷ୍ଠୀ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ସହିତ ଜଡିତ। ସେ ହାଥରସରେ ସାମ୍ପ୍ରଦାୟିକ ହିଂସା ଘଟାଇବାକୁ ଷଡଯନ୍ତ୍ର ରଚିଥିଲେ। ତେବେ କପ୍ପନ କହିଥିଲେ ଯେ ହାଥରସରେ ଦଳିତ ଝିଅ ସହିତ ଗଣବଳାତ୍କାର ଓ ହତ୍ୟା ଘଟଣା ବାବଦରେ ସେ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଆଇପିସି ବିଭାଗ ୧୫୩-ଏ (ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୨୯୫-ଏ (ଧାର୍ମିକ ଭାବନାକୁ ଆଘାତ ଦେବା), ୧୨୪-ଏ (ଦେଶଦ୍ରୋହ), ୧୨୦ ବି (ଷଡ଼ଯନ୍ତ୍ର), ୟୁଏପିଏ ଅନୁଯାୟୀ କପ୍ପନଙ୍କୁ ଜେଲ କରାଯାଇଥିଲା।

Comments are closed.