ଦୁଇ ଦିନ ମଧ୍ୟରେ ସାମ୍ନାକୁ ଆସିବେ ପରମବୀର ସିଂ, ଗିରଫରୁ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ

ମୁମ୍ବାଇ: ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଦେଶ ଛାଡ଼ି ଯାଇନାହାଁନ୍ତି। ପରମବୀର ସିଂଙ୍କ ଓକିଲ ସୋମବାର ସୁପ୍ରିମକୋର୍ଟରେ ଏହି ସୂଚନା ଦେଇଛନ୍ତି। ଓକିଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ପରମବୀର ସିଂ ଭାରତରେ ଅଛନ୍ତି ଏବଂ ମୁମ୍ବାଇ ପୋଲିସରୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ହାଜର ହେଉନାହାଁନ୍ତି। ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ପରମବୀର ୪୮ ଘଣ୍ଟା ମଧ୍ୟରେ କୌଣସି ସିବିଆଇ ଅଧିକାରୀ କିମ୍ବା କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ପରମବୀର ସିଂଙ୍କ ଗିରଫଦାରୀ ଉପରେ ବର୍ତ୍ତମାନ ପାଇଁ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୬କୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ନଭେମ୍ବର ୧୮ରେ ଗିରଫଦାରୀରୁ ସୁରକ୍ଷା ପାଇଁ ପରମବୀର ସିଂ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ‌। ତେବେ ପ୍ରଥମେ ସେ କେଉଁଠାରେ ଅଛନ୍ତି ତାହା ଜଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ କହିଥିଲେ ।

ଜଣେ ବିଲଡରଙ୍କ ଠାରୁ ୧୫ କୋଟି ଟଙ୍କା ବଟି ଆଦାୟ ଅଭିଯୋଗରେ ଜୁଲାଇ ୨୨ରେ ମୁମ୍ବାଇର ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନ ପରମବୀର ସିଂଙ୍କ ସହ ପାଞ୍ଚଜଣ ପୋଲିସ୍ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବା ଦିନଠାରୁ ପରମବୀର ସିଂଙ୍କର କୌଣସି ପତ୍ତା ମିଳୁ ନଥିଲା।

Comments are closed.