ସିଏଏ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହୋଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏନେଇ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତିି। ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ରେ ହେବ।

ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ୨୩୭ ଆବେଦନ ଦାୟର ହୋଇଛି । ଏଥିମଧ୍ୟରୁ ୨୦ଟି ଆବେଦନରେ ଏହି ଆଇନ ଉପରେ ରୋକ୍ ଲଗାଇବାକୁ ଦାବି ହୋଇଛି । କେନ୍ଦ୍ର ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜବାବ ଦାଖଲ କରିବାକୁ ଚାରି ସପ୍ତାହ ସମୟ ଦେବାକୁ ଅନୁରୋଧ କରିଥିଲେ । ମେହେଟ୍ଟା କୋର୍ଟଙ୍କୁ କହିଥିଲେ ଯେ ଏହା (ସିଏଏ) କୌଣସି ବ୍ୟକ୍ତିର ନାଗରିକତା ଛଡ଼ାଇ ନେବ ନାହିଁ ।

ସଂସଦରେ ପାରିତ ହେବାର ଚାରି ବର୍ଷ ପରେ ମାର୍ଚ୍ଚ ୧୧, ୨୦୨୪ରେ ଏହି ଏହି ବିବାଦୀୟ ଆଇନ ଲାଗୁ ନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି ହୋଇଥିଲା ।

ଏହି ଆଇନରେ ଡିସେମ୍ବର ୩୧, ୨୦୧୪ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ଅଣମୁସଲିମ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ପାର୍ସୀ) ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

Comments are closed.