ରାଜୀବ ଗାନ୍ଧୀ ହତ୍ୟା ମାମଲାର ୬ ଦୋଷୀଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ 

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍ ଏବଂ ଆରପି ରବିଚନ୍ଦ୍ରନଙ୍କ ସମେତ ୬ ଦୋଷୀଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩୩ ବର୍ଷ କାରାଦଣ୍ଡ ପରେ ଏହି ୬ ଦୋଷୀ ଏବେ ଜେଲରୁ ମୁକୁଳିବେ ।

ରାଜୀବ ଗାନ୍ଧୀ ହତ୍ୟା ମାମଲାର ଏହି ୬ ଦୋଷୀ ହେଉଛନ୍ତି – ନଳିନୀ ରବର୍ଟ ପାଏସ୍, ଶ୍ରୀହରନ୍, ରବିଚନ୍ଦ୍ରନ୍, ଜୟକୁମାର ଏବଂ ସନ୍ଥନ୍ । ଏମାନଙ୍କୁ ପ୍ରଥମେ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା । କିନ୍ତୁ ପରେ ସେମାନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଥିଲା ।

ଜଷ୍ଟିସ୍ ବିଆର୍ ଗଭାଇ ଏବଂ ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ ରାଜୀବ ଗାନ୍ଧୀ ହତ୍ୟା ମାମଲାର ସପ୍ତମ ଅଭିଯୁକ୍ତ ଏଜି ପେରାରିଭାଲାନଙ୍କ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଥିଲେ ତାହା ଏହି ୬ ଦୋଷୀଙ୍କ ପାଇଁ ମଧ୍ୟ ଲାଗୁ ହେବ।

ସମ୍ବିଧାନର ଧାରା ୧୪୨ ଅଧୀନରେ ଦିଆଯାଇଥିବା କ୍ଷମତା ଆଧାରରେ ସୁପ୍ରିମକୋର୍ଟ ମେ ୧୮ରେ ୩୦ ବର୍ଷରୁ ଅଧିକ ଦିନ ସଜା କାଟିଥିବା ପେରାରିଭାଲାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେପଟେ ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତଙ୍କୁ ଛାଡ଼ିବା ନିଷ୍ପତ୍ତି ଉପରେ କଂଗ୍ରେସ ଆପତ୍ତି ଉଠାଇଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ତ୍ରୁଟିପୂର୍ଣ୍ଣ । ଏହା ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୧ ମେ ୧୯୯୧ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁର ଠାରେ ଏକ ନିର୍ବାଚନ ସଭାରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା | ଏଥିପାଇଁ ଧନୁ ନାମ୍ନୀ ଜଣେ ମହିଳା ଆତ୍ମଘାତୀଙ୍କୁ ବ୍ୟବହାର କରାଯାଇଥିଲା।

Comments are closed.