ଆଇଓଏ ପାଇଁ ପ୍ରଶାସକ କମିଟି ନିଯୁକ୍ତି ପ୍ରସଙ୍ଗ: ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)କୁ ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ତିନି ସଦସ୍ୟ ବିଶିଷ୍ଟ ପ୍ରଶାସକ କମିଟି (ସିଓଏ) ଦେଶର ସର୍ବୋଚ୍ଚ କ୍ରୀଡା ସଂଘ ଆଇଓଏର କାର୍ଯ୍ୟ ସମ୍ଭାଳିବ ନାହିଁ । ପ୍ରଶାସକ କମିଟି ନିଯୁକ୍ତି ନେଇ ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ଆଇଓଏ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲା ।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କେନ୍ଦ୍ର ତଥା ଆଇଓଏ ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ତରଫରୁ ଦାଖଲ ଦଲିଲ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ ଯେ ଆଇଓଏ ହେଉଛି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଏକ ସଦସ୍ୟ । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିୟମାନୁସାରେ ଜାତୀୟ ଅଲିମ୍ପିକ୍ ସଂଘ କେବଳ ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ପରିଚାଳିତ ହେବ, ପ୍ରଶାସକ କମିଟି ଭଳି ଅନିର୍ବାଚିତ ସଂସ୍ଥା ଦ୍ୱାରା ନୁହେଁ । ଯଦି ପ୍ରଶାସକ କମିଟି ଆଇଓଏର ପରିଚାଳନା ଦାୟିତ୍ଵ ଗ୍ରହଣ କରେ, ତେବେ ଭାରତ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡା ଇଭେଣ୍ଟଗୁଡିକରୁ ବାସନ୍ଦ ହୋଇପାରେ |

ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଦେଶ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ସଲିସିଟର ଜେନେରାଲଙ୍କ ଯୁକ୍ତି ଉପରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଧ୍ୟାନ ଦେଇଥିଲେ। ଏହା ପରେ ସୁପ୍ରିମକୋର୍ଟ ଆଇଓଏ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟ ଦ୍ଵାରା ନିଯୁକ୍ତ ପ୍ରଶାସକ କମିଟି ଆଇଓଏର କାର୍ଯ୍ୟ ପରିଚାଳନା କରିପାରିବ ନାହିଁ। ପ୍ରଶାସନିକ କମିଟିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନିଲ ଆର ଦବେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ.ୟୁ କୁରେଶି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବତନ ସଚିବ ବିକାଶ ସ୍ବରୂପଙ୍କୁ ସାମିଲ କରାଯାଇଥିଲା।

ଆଇଓଏର ଆବେଦନ ଉପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ରେ କରିବେ |

ଏହାପୂର୍ବରୁ ସୁପ୍ରିମକୋର୍ଟ ଆଇଓଏର ଆବେଦନ ଶୁଣିବାକୁ ରାଜି ହୋଇଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ ଯେ, ନିକଟରେ ଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍) ଭଳି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ମଧ୍ୟ ଆଇଓଏକୁ ବାସନ୍ଦ କରିପାରେ |

ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୧୬ରେ ଆଇଓଏର କାର୍ଯ୍ୟ ପରିଚାଳନା ପାଇଁ ତିନିଜଣିଆ ପ୍ରଶାସକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ଆଇଓଏ କ୍ରୀଡ଼ା ସଂହିତା ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରୁଛି, ତେଣୁ ଏହାର କାର୍ଯ୍ୟକୁ ପ୍ରଶାସକ କମିଟିକୁ ହସ୍ତାନ୍ତର କରିବା ଜରୁରୀ ହୋଇପଡ଼ିଛି ।

Comments are closed.