ଜ୍ଞାନବାପି ମସଜିଦ ମାମଲା: ‘ଶିବଲିଙ୍ଗ’ ମିଳିଥିବା ସ୍ଥାନ ସିଲ୍ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜ୍ଞାନବାପି ମାମଲାର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମସଜିଦ ପରିସରରେ ଯେଉଁ ସ୍ଥାନରେ ‘ଶିବଲିଙ୍ଗ’ ମିଳିଛି ବୋଲି କୁହାଯାଉଛି, ସେହି ସ୍ଥାନକୁ ସୁରକ୍ଷିତ ତଥା ସିଲ୍ କରି ରଖିବା ପାଇଁଁ ସୁପ୍ରିମକୋର୍ଟ ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ଯେ ସେଠାରେ ନମାଜ ପାଠ ପାଇଁ ମୁସଲମାନ ପକ୍ଷ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ ବୋଲି କହିଛନ୍ତି। ତଳକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି ।

ପ୍ରକାଶ ଥାଉକି, ସୁପ୍ରିମକୋର୍ଟ ଜ୍ଞାନବାପି ମସଜିଦ ସଂପର୍କରେ ନିମ୍ନ ଅଦାଲତରେ ଚାଲିଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିନାହାଁନ୍ତି। ଜ୍ଞାନବାପି ମସଜିଦରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ମୁସଲମାନ ପକ୍ଷରୁ ଦାବି କରାଯାଇଥିଲା।

ଅନ୍ୟପକ୍ଷରେ ଜ୍ଞାନବାପି ମସଜିଦର ସର୍ଭେ ପାଇଁ ନିଯୁକ୍ତ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ବାରାଣସୀ ଜିଲ୍ଲା କୋର୍ଟ ହଟାଇ ଦେଇଛନ୍ତି।

ଜ୍ଞାନବାପି ମସଜିଦର ପ୍ରବନ୍ଧକ କମିଟି ‘ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍‌’ର ଓକିଲ, ଆଡଭୋକେଟ୍‌ କମିଶନର ଅଜୟ କୁମାର ମିଶ୍ରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କୁ ସର୍ଭେ ଟିମରୁ ବାହାର କରିବା ପାଇଁ ପୂର୍ବରୁ ଏକ ପିଟିସନ ଦାଖଲ କରାଯାଇଥିଲା, ଯାହାକୁ କୋର୍ଟ ଖାରଜ କରିଦେଇଥିଲେ।

ସର୍ଭେ ରିପୋର୍ଟ ଦାଖଲ କରିବାକୁ ଆଡଭୋକେଟ୍ କମିଶନର ବିଶାଲ ସିଂଙ୍କୁ କୋର୍ଟ ଦୁଇ ଦିନ ସମୟ ଦେଇଛନ୍ତି।

ଏହାପୂର୍ବରୁ ସୋମବାର ବାରାଣାସୀ କୋର୍ଟ ଜ୍ଞାନବାପି ମସଜିଦ ପରିସରରେ ସେହି ସ୍ଥାନକୁ ସିଲ୍ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଠାରେ ସର୍ଭେ ଟିମ୍ ‘ଶିବଲିଙ୍ଗ’କୁ ମିଳିଥିବା ଦାବି କରିଥିଲେ।

Comments are closed.