‘ଆପଣ ନିଆଁ ସହ ଖେଳୁଛନ୍ତି’, ବିଲ୍ ଅନୁମୋଦନ ନ କରିବା ନେଇ ପଞ୍ଜାବ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଧାନସଭାରେ ପାରିତ ବିଲ୍ ଗୁଡ଼ିକୁ ଅନୁମୋଦନ ନ କରିବା ନେଇ ପଞ୍ଜାବ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପଞ୍ଜାବ ରାଜ୍ୟପାଳ ନିଆଁ ସହିତ ଖେଳୁଛନ୍ତି ବୋଲି କହିଛନ୍ତି କୋର୍ଟ । ଏକ ଗଣତନ୍ତ୍ରରେ ଜନ ପ୍ରତିନିଧୀଙ୍କ ଦ୍ବାରା ପାରିତ ବିଲ୍ ଆପଣ ଅଟକାଇ ପାରିବେ ନାହିଁ। ବିଧାନସଭା ଅଧିବେଶନ ଉପରେ ପ୍ରଶ୍ନ ଉଠାଇବା ଅଧିକାର ଆପଣଙ୍କର ନାହିଁ ବୋଲି ପଞ୍ଜାବ ରାଜ୍ୟପାଳଙ୍କୁ କଡ଼ା ଭାଷାରେ କହିଛନ୍ତି ସୁପ୍ରିମକୋର୍ଟ ।

ବିଲ ଅନୁମୋଦନ କରିବାରେ ବିଳମ୍ବ ଯୋଗୁଁ ରାଜ୍ୟପାଳଙ୍କ ବିରୋଧରେ ପଞ୍ଜାବ ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏପରି ଟିପ୍ପଣୀ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ପଞ୍ଜାବ ରାଜ୍ୟପାଳଙ୍କ ସହ ଆମେ ଖୁସି ନୋହୁଁ। ପଞ୍ଜାବରେ ଯାହା ଘଟୁଛି ତାହା ଗମ୍ଭୀର ବିଷୟ। ବିଲ୍ ପାସ୍ ନକରିବା ଏବଂ ଅଧିବେଶନ ଅସାମ୍ବିଧାନିକ ବୋଲି କହିବା ନିଆଁ ସହ ଖେଳିବା ସଦୃଶ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ନେଇ କହିଛନ୍ତି, ଆମ ଦେଶ ପ୍ରତିଷ୍ଠିତ ପରମ୍ପରା ଓ ରୀତିନୀତି ଅନୁଯାୟୀ ଚାଲିଛି । ସେସବୁ ପାଳନ କରାଯିବା ଉଚିତ। ବିଧାନସଭାର ବଜେଟ୍ ଅଧିବେଶନର କାହିଁକି ମୁଲତବୀ ରଖାଗଲା । ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାହିଁକି ସ୍ଥଗିତ ରଖାଗଲା ନାହିଁ କାହିଁକି ବୋଲି କୋର୍ଟ ପଞ୍ଜାବ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ ।

ବିଧାନସଭାରେ ପାରିତ କିଛି ବିଲକୁ ଅନୁମୋଦନ କରିବାରେ ବିଳମ୍ବ ନେଇ ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ୍ ପୁରୋହିତଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ରାଜ୍ୟର ଆମ୍ ଆଦମୀ ପାର୍ଟି ସରକାର ।

Comments are closed.