ମାଗଣା ଯୋଜନା: ମାମଲାକୁ ତିନିଜଣିଆ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ମାଗଣା ଯୋଜନା (ଫ୍ରିବିସ୍) ଘୋଷଣା ଏବଂ ଏହାର କାର୍ଯ୍ୟକାରିତା ଯୋଗୁଁ ଅର୍ଥ ବ୍ୟବସ୍ଥା ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ତିନିଜଣିଆ ଖଣ୍ଡପୀଠକୁ ପଠାଇଛନ୍ତି। ଏହି ମାମଲାରେ ଉଭୟ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିସ୍ତୃତ ଶୁଣାଣି ଆବଶ୍ୟକ। ନିର୍ବାଚନରେ କେଉଁ ଦଳ ଜିତିବ ତାହା ଭୋଟର ନିଷ୍ପତ୍ତି ନିଅନ୍ତି। ଏହାକୁ ଅସ୍ବୀକାର କରାଯାଇ ପାରିବ ନାହିଁ । ଗଣତନ୍ତ୍ରରେ ପ୍ରକୃତ ଶକ୍ତି ଭୋଟରଙ୍କ ପାଖରେ ଅଛି | ମାଗଣା ସୁବିଧା ଘୋଷଣା ଦ୍ବାରା ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ବିଗିଡ଼ିପାରେ | କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଏଭଳି ମାମଲାରେ କୋର୍ଟ କେତେ ଦୂର ହସ୍ତକ୍ଷେପ କରିପାରିବେ।

ପ୍ରଧାନ ବିଚାରପତି କହିଛନ୍ତି ଯେ ନିର୍ବାଚନ ସମୟରେ ବିଭିନ୍ନ ଦଳ ପକ୍ଷରୁ ମାଗଣା ଉପହାର ପ୍ରତିଶ୍ରୁତି ସମ୍ପର୍କରେ ଆବେଦନରେ ବିଭିନ୍ନ ପ୍ରଶ୍ନ କରାଯାଇଛି। ଏହା ନିରପେକ୍ଷ ନିର୍ବାଚନ ଏବଂ ଅର୍ଥନୀତି ଉପରେ କୁପ୍ରଭାବ ପକାଇପାରେ ବୋଲି ଯୁକ୍ତି କରାଯାଇଛି | ଏହା ମଧ୍ୟ କୁହାଯାଇଛି ଯେ ଅନେକ ଅନାବଶ୍ୟକ ଉପହାରର ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି, ଯାହାର ଉଦ୍ଦେଶ୍ୟ ପ୍ରକୃତ ଜନ କଲ୍ୟାଣ ନୁହେଁ, ବରଂ ଦଳକୁ କେବଳ ଲୋକପ୍ରିୟ କରିବାକୁ ଉଦ୍ଦିଷ୍ଟ ।

Comments are closed.