ହେମନ୍ତ ସୋରେନଙ୍କୁ ଝଟକା, ପିଟିସନରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିଟିସନରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ସୋରେନ୍ ଇଡି ଦ୍ବାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ।

ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ବେଲା ଏମ୍ ତ୍ରିବେଦୀଙ୍କ ଏକ ଖଣ୍ଡପୀଠ ସୋରେନଙ୍କ ଓକିଲ କପିଲ ସିବଲ ଏବଂ ଅଭିଷେକ ସିଂଘଭିଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ।

ଇଡି ଦ୍ବାରା ତାଙ୍କ ଗିରଫଦାରୀ ବିରୋଧରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତା ହେମନ୍ତ ସୋରେନ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ସେ ତାଙ୍କ ଆବେଦନରେ କହିଥିଲେ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଅନୁସାରେ ଗିରଫ କରିଛି । ସେ ପିଟିସନରେ ଦାବି କରିଥିଲେ, କିଛି ମାସ ପରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ବିରୋଧରେ ଜାଣିଶୁଣି ଏହି ଆକ୍ସନ ନିଆଯାଇଛି ।

ସର୍ବୋଚ୍ଚ ନ୍ୟାୟାଳୟରେ ଦାୟର ଆବେଦନରେ ସୋରେନ ତାଙ୍କ ଗିରଫଦାରୀକୁ ଅନୁଚିତ, ମନମାନି ତଥା ତାଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଘୋଷଣା କରିବାକୁ ଅନୁରୋଧ କରିଥିଲେ।

ବେଆଇନ ଭାବେ ଜମି ଜବତ ଏବଂ “ଜମି ମାଫିଆ”ଙ୍କ ସହିତ ଜଡ଼ିତ ମନି‌ ଲଣ୍ଡରିଂ ମାମଲାରେ ସୋରେନଙ୍କୁ ଜାନୁଆରୀ ୩୧ରେ ଗିରଫ କରିଥିଲା ଇଡି। ରାଞ୍ଚିର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଗୁରୁବାର ଦିନିକିଆ ନ୍ୟାୟିକ ହାଜତକୁ ପଠାଇଥିଲେ ।

Comments are closed.