ଥାଞ୍ଜାଭୁର ଛାତ୍ରୀ ଆତ୍ମହତ୍ୟା ମାମଲା, ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଥାଞ୍ଜାଭୁରର ଜଣେ ସ୍କୁଲ୍ ଛାତ୍ରୀଙ୍କ ଚର୍ଚ୍ଚିତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଜନୈକା ଛାତ୍ରୀ ଲାବଣ୍ୟାଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିଲେ ‌। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ବେଲା ଏମ ତ୍ରିବେଦୀଙ୍କ ଏକ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ଦ୍ଵାରା ଦାୟର ପିଟିସନ ଉପରେ ନୋଟିସ ଜାରି କରିଛନ୍ତି ।

ତାମିଲନାଡୁର ଥାଞ୍ଜାଭୁରର ୧୭ ବର୍ଷୀୟା ଛାତ୍ରୀ ଲାବଣ୍ୟା ଜାନୁଆରୀ ୧୯ରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ଏହାର ଠିକ୍ ପୂର୍ବରୁ ସେ ଏକ ଭିଡିଓ କରିଥିଲେ | ସେହି ଭିଡିଓରେ ଲାବଣ୍ୟା କହିଥିଲେ ଯେ ତାଙ୍କ ସ୍କୁଲ ତାଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛି। ଲଗାତାର ମାନସିକ ନିର୍ଯ୍ୟାତନା ଯୋଗୁଁ ସେ ନିଜ ଜୀବନ ନେଉଛନ୍ତି ବୋଲି ଲାବଣ୍ୟା କହିଥିଲେ | ଏହି ଘଟଣାରେ ରାଜ୍ୟର ଶାସକ ଦଳ ଡିଏମକେର କିଛି ବରିଷ୍ଠ ନେତା ସମ୍ପୃକ୍ତ ସ୍କୁଲର ସମର୍ଥନରେ ଆସି ବୟାନ ଦେଇଥିଲେ । ପୋଲିସ ମଧ୍ୟ ଲାବଣ୍ୟାଙ୍କ ମୃତ୍ୟୁ ପୂର୍ବରୁ ବୟାନକୁ ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା ।

ଲାବଣ୍ୟାଙ୍କ ପିତା ନିଜ ଝିଅର ଆତ୍ମହତ୍ୟା ନେଇ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେ ଏହି ମାମଲାରେ ପୋଲିସ ଦୋଷୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଥିଲେ। ଏହା ପରେ ହାଇକୋର୍ଟର ମଦୁରାଇ ବେଞ୍ଚ ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିଥିଲେ । ଜାନୁଆରୀ ୩୧ରେ ହାଇକୋର୍ଟ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରି ପୋଲିସ ଏବଂ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ।

Comments are closed.