ବିରୋଧୀ ଦଳଙ୍କୁ ‘ସୁପ୍ରିମ୍’ ଝଟକା, ଇଡି-ସିବିଆଇ ଅପବ୍ୟବହାର ବିରୋଧରେ ପିଟିସନ ଖାରଜ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ବଡ଼ ଝଟକା ଲାଗିଛି । ଇଡି-ସିବିଆଇ ଭଳି ସଂସ୍ଥାର ଅପବ୍ୟବହାର ଅଭିଯୋଗ ନେଇ ୧୪ଟି ବିରୋଧୀ ଦଳ ତରଫରୁ ଦାୟର ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।

ନିଜ ପିଟିସନରେ ୧୪ ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ବିରୋଧୀ ଦଳ ନେତାଙ୍କ ବିରୋଧରେ ମନଇଛା କେନ୍ଦ୍ରୀୟ ସଂସ୍ଥାଙ୍କ ଅପବ୍ୟବହାର କରୁଛନ୍ତି । ଏହା ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଥିଲେ ଯେ ଦେଶର ନେତାଙ୍କ ପାଇଁ ଅଲଗା ନିୟମ ହୋଇପାରିବ ନାହିଁ । ତେଣୁ ଏହି ଆବେଦନର ଶୁଣାଣି କରିବା ସମ୍ଭବ ନୁହେଁ। ବିରୋଧୀଙ୍କ ତରଫରୁ ହାଜର ହୋଇ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ପରିସଂଖ୍ୟାନ ଅନୁଯାୟୀ ୮୮୫ ଅଭିଯୋଗ ଦାଖଲ କରାଯାଇଥିଲେ ମଧ୍ୟ କେବଳ ୨୩ଟି ମାମଲାର ଦଣ୍ଡାଦେଶ ହୋଇଛି । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ବିଭିନ୍ନ ମାମଲାର ତଦନ୍ତ ଅଧାପନ୍ତରିଆ ରହିଥିଲା | ସିଂଘଭି କହିଥିଲେ ଯେ, ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ୧୨୧ ଜଣ ରାଜନେତାଙ୍କ ବିରୋଧରେ ଇଡି ତଦନ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫% ବିରୋଧୀ ଦଳ ନେତା ଥିଲେ ।

ସିଂଘଭିଙ୍କ ଯୁକ୍ତିର ଜବାବରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ଏହା ଜଣେ କିମ୍ବା ଦୁଇ ଜଣ ପୀଡ଼ିତଙ୍କ ପିଟିସନ ନୁହେଁ | ଏହା ୧୪ଟି ରାଜନୈତିକ ଦଳର ଆବେଦନ। ଆମେ କିଛି ନିର୍ଦ୍ଧିଷ୍ଟ ତଥ୍ୟ ଆଧାରରେ ଯାଞ୍ଚ ବନ୍ଦ କରାଯିବା ଉଚିତ୍ ବୋଲି କହିପାରିବା କି ?

ଆପଣଙ୍କ ପରିସଂଖ୍ୟାନ ତା’ ସ୍ଥାନରେ ଠିକ୍ | କିନ୍ତୁ ତଦନ୍ତରୁ ଛାଡ଼ ପାଇବା ରାଜନେତାଙ୍କର କୌଣସି ବିଶେଷ ଅଧିକାର ନାହିଁ । ରାଜନେତାମାନେ ମଧ୍ୟ ଦେଶର ନାଗରିକ।ରାଜନେତାଙ୍କ ପାଇଁ ଆମେ ଅଲଗା ଗାଇଡଲାଇନ୍ ଜାରି କରିପାରିବୁ ନାହିଁ। ସୁପ୍ରିମକୋର୍ଟଙ୍କ ଏପରି ଯୁକ୍ତି ପରେ ୧୪ ବିରୋଧୀ ଦଳ ନିଜ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୪ରେ ଦେଶର ୧୪ଟି ବିରୋଧୀ ଦଳ କେନ୍ଦ୍ରୀୟ ସଂସ୍ଥା ଗୁଡିକର ଅପବ୍ୟବହାର ରୋକିବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜନତା ଦଳ ୟୁନାଇଟେଡ୍, ଭାରତ ରାଷ୍ଟ୍ର ସମିତି, ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ) ନ୍ୟାସନାଲ କନଫରେନ୍ସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସିପିଆଇ, ସିପିଏମ୍, ଡିଏମକେ ପକ୍ଷରୁ ଏହି ଆବେଦନ ହୋଇଥିଲା ​​|

Comments are closed.