ଘରକୁ ଯାଇ ଲୋକଙ୍କ ଟିକାକରଣ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରକୁ ଘର ଯାଇ ଲୋକଙ୍କ ଟିକାକରଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ଏକ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି । ଦେଶରେ କୋଭିଡ୍ ସ୍ଥିତିର ବିବିଧତା ଏବଂ ପ୍ରଶାସନିକ ଜଟିଳତା ଦୃଷ୍ଟିରୁ ଘରୁ ଘର ଟିକାକରଣ ସମ୍ଭବ ନୁହେଁ । ତା’ଛଡ଼ା ଦେଶରେ ଟିକାକରଣ ଠିକ୍ ଚାଲିଥିବା ବେଳେ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି । ୟୁଥ୍ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଦାୟର ପିଟିସନରେ ଘରୁ ଘର ଯାଇ ଲୋକଙ୍କ ଟିକାକରଣ କରିବା ପାଇଁ ସରକାରଙ୍କୁ ଶୀଘ୍ର ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଥିଲା । ପିଟିସନରେ କୁହାଯାଇଥିଲା ଯେ, ଭିନ୍ନକ୍ଷମ, ବୟସ୍କ ଓ ଯେଉଁମାନେ ଟିକା କେନ୍ଦ୍ରକୁ ବିଭିନ୍ନ କାରଣରୁ ଯାଇ ପାରୁନାହାନ୍ତି ସେମାନଙ୍କୁ ଘରେ ଯାଇ ଟିକା ଦିଅଯିବା ଉଚିତ । ଏନେଇ ସରକାରଙ୍କୁ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଆବେଦନକାରୀ ନିବେଦନ କରିଥିଲେ ।

Comments are closed.