ଇଲେକ୍ଟୋରାଲ୍ ବଣ୍ଡ୍ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡ୍ ସ୍କିମର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଇଲେକ୍ଟୋରାଲ୍ ବଣ୍ଡ୍ ସ୍କିମ୍ ଅନ୍ତର୍ଗତ ରାଜନୈତିକ ଦଳ ଗୁଡ଼ିକୁ ମିଳୁଥିବା ପାଣ୍ଠିର ଉତ୍ସ ତଥା ଦାତାଙ୍କ ପରିଚୟ ଗୋପନ ରଖାଯାଏ । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ପାଇଥିବା ପାଣ୍ଠିର ତଥ୍ୟ ଦାଖଲ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ବନ୍ଦ ଲଫାପାରେ ଏହି ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି।

ଅକ୍ଟୋବର ୩୧ରୁ କୋର୍ଟ ଏହି ମାମଲାର ନିୟମିତ ଶୁଣାଣି ଆରମ୍ଭ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର୍ ଗଭାଇ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ସାମିଲ ଥିଲେ।

ଏହାପୂର୍ବରୁ ବୁଧବାର କୋର୍ଟ ଇଲେକ୍ଟୋରାଲ୍ ବଣ୍ଡ୍ ସ୍କିମର ଚୟନାତ୍ମକ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ । ଷ୍ଟେଟ ବ୍ୟାଙ୍କରୁ ବଣ୍ଡ୍ କିଣୁଥିବା ଲୋକଙ୍କ ପରିଚୟ କେବଳ ସେହି ବ୍ୟାଙ୍କ ପାଖରେ ଉପଲବ୍ଧ । କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଏହି ତଥ୍ୟ ପାଇପାରିବ ।

Comments are closed.