ରାଜନୈତିକ ଦଳଙ୍କ ‘ମାଗଣା’ ପ୍ରତିଶ୍ରୁତି ଉପରେ କେନ୍ଦ୍ରଠୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ଦିଆଯାଉଥିବା ‘ଫ୍ରିବିଜ୍’ ବା ମାଗଣା ସୁବିଧା ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆପଣ କାହିଁକି ଏହି ପ୍ରସଙ୍ଗରେ କୁଣ୍ଠା ପ୍ରକାଶ କରୁଛନ୍ତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କୋର୍ଟ । କେନ୍ଦ୍ରର ଉତ୍ତର ପରେ ରାଜନୈତିକ ଦଳମାନଙ୍କ ଦ୍ବାରା ଦିଆଯାଉଥିବା ମାଗଣା ସୁବିଧା ଜାରି ରହିବ କି ନାହିଁ ଆମେ ନିଷ୍ପତ୍ତି ନେବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି | “ଫ୍ରିବିଜ୍” ରୋକିବା ପାଇଁ ରାଜ୍ୟଗୁଡିକୁ ରାଜସ୍ୱ ଆବଣ୍ଟନ ନିୟନ୍ତ୍ରଣ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ କୋର୍ଟ କେନ୍ଦ୍ର ଅର୍ଥ କମିଶନଙ୍କୁ ପଚାରିବାକୁ କହିଛନ୍ତି। ଏପରି ମାଗଣା ଉପହାର ଅର୍ଥ ବ୍ୟବସ୍ଥା ସହ ଖେଳନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୩ ସୁଦ୍ଧା ଜବାବ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ କେନ୍ଦ୍ର ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିପାରିବ। ଆମେ କିଛି କରିପାରିବୁ ନାହିଁ | କେନ୍ଦ୍ର ପକ୍ଷରୁ ସହକାରୀ ସଲିସିଟର ଜେନେରାଲ କେଏମ୍ ନଟରାଜ କହିଛନ୍ତି ଯେ ଏଗୁଡିକ ଏପରି ସମସ୍ୟା ଯାହା ନିର୍ବାଚନ କମିଶନକୁ ସମାଧାନ କରିବାକୁ ପଡିବ | ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କେନ୍ଦ୍ର ଏହି ପ୍ରସଙ୍ଗରେ କଣ ଭାବୁଛି ବୋଲି ପଚାରିଥିଲେ । ଏନେଇ ବିସ୍ତୃତ ଜବାବ ଦାଖଲ କରୁ ବୋଲି କେନ୍ଦ୍ରକୁ କହିଥିଲେ ପ୍ରଧାନ ବିଚାରପତି ।

ଏହାପୂର୍ବରୁ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଆମେ ଦଳଙ୍କ ଦ୍ୱାରା ମାଗଣା ଉପହାର ପ୍ରତିଶ୍ରୁତିକୁ ବନ୍ଦ କରିପାରିବୁ ନାହିଁ। ଏହା କରିବା ଆମ ଅଧିକାର ବାହାରେ। ମାଗଣା ଉପହାର ଦେବା ରାଜନୈତିକ ଦଳର ଏକ ନୀତିଗତ ନିଷ୍ପତ୍ତି | ଏହି ମାମଲାରେ କୋର୍ଟ ଗାଇଡ ଲାଇନ୍ ଜାରି କରିପାରିବେ।

Comments are closed.