ଯୌନ ଶୋଷଣ ପାଇଁ ‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ ଜରୁରୀ ନୁହେଁ, ବମ୍ବେ ହାଇକୋର୍ଟ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟଙ୍କ ‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ ବିନା ମଧ୍ୟ ଶିଶୁ ମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ପକ୍ସୋ ଆଇନ୍ ଅନୁଯାୟୀ ଯୌନ ଶୋଷଣ ଭାବେ ଧରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । | ପିଲାମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପକ୍ସୋ ଆଇନର ଉଦ୍ଦେଶ୍ୟ | ଏହାର ସଂକୀର୍ଣ୍ଣ ବ୍ୟାଖ୍ୟା କ୍ଷତିକାରକ ହେବ ବୋଲି କହି ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ ରାୟକୁ ଏଡ଼ାଇ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କୁ ତିନି ବର୍ଷ ଦଣ୍ଡିତ କରାଯାଇଛି।

‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ ବିନା ପକ୍ସୋ ଆଇନ୍ ଲାଗୁ ହେବ କି ନାହିଁ ସେନେଇ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଥିଲେ। ଜଷ୍ଟିସ ଉଦୟ ଉମେଶ ଲଲିତ, ଜଷ୍ଟିସ ଏସ.ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନ ଉପରେ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୩୦ରେ ରାୟ ସଂରକ୍ଷିତ ରଖିଥିଲେ।

ସୂଚନାଯୋଗ୍ୟ, ‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ ନେଇ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଦ୍ବାରା ପାରିତ ହୋଇଥିବା ବିବାଦୀୟ ରାୟ ବିରୋଧରେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଲ ଦାଖଲ କରିଥିବା ଏକ ଆବେଦନ ସମେତ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ଓ ଅନ୍ୟ ସଂଗଠନଙ୍କ ଦ୍ବାରା ଦାୟର ପିଟିସନର ଶୁଣାଣି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଏକ ଶୋଷଣ ମାମଲାରେ ବମ୍ବେ ହାଇକୋର୍ଟ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରି କହିଥିଲେ ଯେ “ବିନା ‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ରେ ନାବାଳିକାର ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ ଆଇନ୍ ଅଧୀନରେ ଯୌନ ନିର୍ଯାତନା ବୋଲି କୁହାଯାଇପାରିବ ନାହିଁ। ଅର୍ଥାତ୍ ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ଯଦି ସିଧାସଳଖ ‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ ହୋଇନାହିଁ, ତେବେ ପକ୍ସୋ ଅଧୀନରେ ଏହା ଯୌନ ନିର୍ଯାତନା ବୋଲି ଧରାଯିବ ନାହିଁ |

ବମ୍ବେ ହାଇକୋର୍ଟଙ୍କ ଏହି ରାୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅନେକ ମହିଳା ସଂଗଠନ ଓ ଶିଶୁ ସୁରକ୍ଷା ସହ ଜଡ଼ିତ ସଂଗଠନ ହାଇକୋର୍ଟଙ୍କ ଏହି ରାୟ ଶିଶୁ ମାନଙ୍କ ବିରୋଧରେ ଯୌନ ଶୋଷଣକୁ ପ୍ରୋତ୍ସାହିତ କରିବ ବୋଲି କହି ଏହାକୁ ପ୍ରବଳ ବିରୋଧ କରିଥିଲେ ।

Comments are closed.