ଲକ୍ଷଦ୍ବୀପ ସାଂସଦଙ୍କ ଦଣ୍ଡାଦେଶ ଉପରେ କେରଳ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକ୍ଷଦ୍ବୀପର ଏନସିପି ସାଂସଦ ମହମ୍ମଦ ଫୈଜଲଙ୍କୁ ଝଟକା । ଏକ ହତ୍ୟା ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ କେରଳ ହାଇକୋର୍ଟ ଜାରି କରିଥିବା ସ୍ଥଗିତାଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ଛଅ ସପ୍ତାହ ମଧ୍ୟରେ ରାୟର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ କେରଳ ହାଇକୋର୍ଟକୁ କହିଛନ୍ତି । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଲକ୍ଷଦ୍ବୀପ ସାଂସଦ ଫୈଜଲଙ୍କୁ ଅଯୋଗ୍ୟ ହେବାରୁ ବର୍ତ୍ତମାନ ପାଇଁ ବଞ୍ଚାଇଛନ୍ତି। ଏହି ମାମଲାରେ ହାଇକୋର୍ଟ ତାଙ୍କୁ ଦେଇଥିବା ସୁରକ୍ଷା ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସେହି ସମୟ ମଧ୍ୟରେ ଲକ୍ଷଦ୍ବୀପ ପ୍ରଶାସନର ଆବେଦନ ଉପରେ ହାଇକୋର୍ଟଙ୍କୁ ନୂଆକରି ରାୟ ଶୁଣାଇବାକୁ ପଡ଼ିବ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହି ମାମଲାରେ ଲୋକସଭା ସାଂସଦଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇ ହାଇକୋର୍ଟ ଭୁଲ୍ କରିଛନ୍ତି। ୨୦୦୯ ଲୋକସଭା ନିର୍ବାଚନ ବେଳେ ସ୍ୱର୍ଗତ କେନ୍ଦ୍ର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ସୟିଦଙ୍କ ପୁତୁରା ମହମ୍ମଦ ସାହିଲଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଲକ୍ଷଦ୍ବୀପ କଭାରତୀସ୍ଥିତ ଏକ ସେସନ୍ସ କୋର୍ଟ ଜାନୁୟାରୀ ୧୧, ୨୦୨୩ରେ ଫୈଜଲ ଏବଂ ଅନ୍ୟ ତିନିଜଣଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ସହ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଫୈଜଲ ଏହି ଆଦେଶ ବିରୋଧରେ କେରଳ ହାଇକୋର୍ଟରେ ଅପିଲ କରିଥିଲେ । ଜାନୁୟାରୀ ୨୫ରେ ହାଇକୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ।

କେରଳ ହାଇକୋର୍ଟ ରାୟ ବିରୋଧରେ ଲକ୍ଷଦ୍ବୀପ ପ୍ରଶାସନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଜାନୁୟାରୀ ୩୦ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ।

Comments are closed.