ଆଦାନୀ-ହିଣ୍ଡେନବର୍ଗ ମାମଲାର ଯାଞ୍ଚ୍ ପାଇଁ ସୁପ୍ରିମକୋର୍ଟ ଗଠନ କଲେ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାର ଯାଞ୍ଚ୍ ପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଏଏମ୍ ସାପ୍ରେଙ୍କ ନେତୃତ୍ୱରେ ଏକ ୬ ଜଣିଆ କମିଟି ନିଯୁକ୍ତ କରିଛନ୍ତି କୋର୍ଟ । ଏହି କମିଟିର ଅନ୍ୟ ସଦସ୍ୟମାନେ ହେଲେ ଏମଭି କାମାଥ୍, ନନ୍ଦନ ନେଲକାନି, ସୋମଶେଖରନ ସୁନ୍ଦରସନ ଓ ଦୁଇ ଅବସରପ୍ରାପ୍ତ ଜଜ୍ ଓପି ଭଟ୍ଟ ଏବଂ ଜେପି ଦେବଦତ୍ତ । ସେବି ନିୟମାବଳୀର ଉଲ୍ଲଂଘନ ଓ ଷ୍ଟକ୍ ମୂଲ୍ୟରେ ହେରଫେର ହୋଇଛି କି ନାହିଁ ତାହାର ଅନୁସନ୍ଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସେବିକୁ ଦୁଇ ମାସ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଏହା ପୂର୍ବରୁ ସୁପ୍ରିମକୋର୍ଟ ବନ୍ଦ ଲଫାପାରେ କେନ୍ଦ୍ର ସରକାର ଦେଇଥିବା ବିଶେଷଜ୍ଞଙ୍କ ନାମ ଗ୍ରହଣ କରିନଥିଲେ । ଏହି ମାମଲାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଦରକାର ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହାଛଡ଼ା କୋର୍ଟ ଏହି ମାମଲାରେ ମିଡିଆ କଭରେଜ ଉପରେ କଟକଣା ଲଗାଇବାକୁ ମଧ୍ୟ ମନା କରିଦେଇଥିଲେ ।

ଆଦାନୀ-ହିଣ୍ଡେନବର୍ଗ ମାମଲାର ଏପର୍ଯ୍ୟନ୍ତ ୪ଟି ପିଟିସନ୍ ଦାଖଲ କରାଯାଇଛି। ଓକିଲ ଏମଏଲ୍ ଶର୍ମା, ବିଶାଲ ତିୱାରୀ, କଂଗ୍ରେସ ନେତା ଜୟା ଠାକୁର ଏବଂ ସାମାଜିକ କର୍ମୀ ମୁକେଶ କୁମାର ଏହି ପିଟିସନ ଦାଖଲ କରିଛନ୍ତି। ଏହି ମାମଲାର ପ୍ରଥମ ଶୁଣାଣି ଫେବୃଆରୀ ୧୦ରେ ହୋଇଥିଲା।ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍ ନରସିଂହା ଓ ଜଷ୍ଟିସ୍ ଜେବି ପାର୍ଦିୱାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।

Comments are closed.