‘ତୁମ ମୁଖ୍ୟମନ୍ତ୍ରୀ କିଛି ଜାଣି ନାହାଁନ୍ତି’, କୋଭିଡ-୧୯ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ନେଇ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: କୋଭିଡ-୧୯ କ୍ଷତିପୂରଣ ପ୍ରଦାନ ପାଇଁ ଗୁଜରାଟ ସରକାରଙ୍କ ଜଟିଳ ପ୍ରକ୍ରିୟାକୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । କ୍ଷତିପୂରଣ ଦାବିର ଯାଞ୍ଚ୍ ପାଇଁ ଗୁଜରାଟ ସରକାର ଏକ କମିଟି ଗଠନ କରିଛନ୍ତି । ଏହାଦ୍ବାରା ପୀଡ଼ିତ ପରିବାର କ୍ଷତିପୂରଣ ପାଇବାରେ ବିଳମ୍ବ ହେବ ବୋଲି କହି ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଉପରେ ବର୍ଷିଛନ୍ତି । ଆଜି ଏହି ପ୍ରସଙ୍ଗରେ ଶୁଣାଣି ବେଳେ ଗୁଜୁରାଟର ମୁଖ୍ୟ ଶାସନ ସଚିବ ପଙ୍କଜ କୁମାର ସୁପ୍ରିମକୋର୍ଟରେ

ହାଜର ହୋଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ପୀଡ଼ିତଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯାଉ, ନଚେତ୍ ଏହି ଦାୟିତ୍ୱ ଆଇନ ସେବା ପ୍ରାଧିକରଣକୁ ଦିଆଯିବ | ଏହି ପ୍ରସଙ୍ଗରେ ସଲିସିଟର ଜେନେରାଲଙ୍କ ସହ ବସି ପ୍ରକ୍ରିୟାକୁ ସରଳ କରିବା ପାଇଁ ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ଏକ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ସଚିବଙ୍କୁ ଭର୍ତ୍ସନା କରି କଡ଼ା ଟିପ୍ପଣୀ କରିଥିଲେ। କୋର୍ଟ ପଚାରିଥିଲେ, ‘ଆପଣଙ୍କ ମୁଖ୍ୟମନ୍ତ୍ରୀ କିଛି ଜାଣି ନାହାଁନ୍ତି? ଆପଣ କ’ଣ ପାଇଁ ସେଠାରେ ଅଛନ୍ତି? ଯଦି ଏପରି ଜଟିଳ ପ୍ରକ୍ରିୟା ଆପଣେଇବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ଜାଣନ୍ତି ନାହିଁ | ଆପଣ ଇଂଲିଶ୍ ଜାଣନ୍ତି ? ଆପଣ ଆମର ଆଦେଶ ବୁଝିପାରିଛନ୍ତି ନା ନାହିଁ? ଏହା କେବଳ ବିଳମ୍ବ କରିବାର ଏକ ଅମଲାତାନ୍ତ୍ରିକ ପ୍ରୟାସ ।

ଏହାପୂର୍ବରୁ ନଭେମ୍ବର ୧୮ରେ ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ କ୍ଷତିପୂରଣ ଦେୟ ସମ୍ପର୍କିତ କୋର୍ଟଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ କରି ଗୁଜରାଟ ସରକାର କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

କରୋନା ପୀଡିତଙ୍କ ସମ୍ପର୍କୀୟଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଆରଏଫ) ଙ୍କ ସୁପାରିସକୁ ସୁପ୍ରିମକୋର୍ଟ ଅକ୍ଟୋବର ୪ରେ ଅନୁମୋଦନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଡେଥ୍ ସାର୍ଟିଫିକେଟରେ ମୃତ୍ୟୁର କାରଣ ଉଲ୍ଲେଖ ହୋଇନାହିଁ ବୋଲି ଦର୍ଶାଇ କୋଭିଡ-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବାକୁ କୌଣସି ସରକାର ମନା କରିପାରିବେ ନାହିଁ ।

କୋଭିଡ୍ ଡେଥ୍ ସାର୍ଟିଫିକେଟ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ କରି ଗୁଜୁରାଟ ସରକାରଙ୍କ ନୂଆ ନିୟମକୁ ଚ୍ୟାଲେଞ୍ଜ କରି ଗୌରବ ବନସାଲ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

Comments are closed.