‘ତୁମ ମନ୍ତବ୍ୟ ପାଇଁ ଦେଶ ଆଜି ଜଳୁଛି’, ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ନୂପୁର ଶର୍ମାଙ୍କ ମନ୍ତବ୍ୟ ପାଇଁ ଦେଶ ଆଜି ଜଳୁଛି ବୋଲି କୋର୍ଟ କହିଛନ୍ତି । ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ନୂପୁରଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ତାଙ୍କ ଉପରେ ଏପରି କଡ଼ା ଟିପ୍ପଣୀ କରିଛନ୍ତି।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଉଦୟପୁରରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ପାଇଁ ନୂପୁର ଶର୍ମା ଦାୟୀ। ଶର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ହାଇକୋର୍ଟ ନିକଟକୁ ଯିବାକୁ କହିଥିଲେ। ଏହା ପରେ ନୂପୁର ଶର୍ମା ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିନେଇଥିଲେ ।

ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ତାଙ୍କ ବିରୋଧରେ ଦେଶର ଅନେକ ରାଜ୍ୟରେ ପ୍ରାୟ ଏକ ଡଜନେରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଥିଲା ।

ନୂପୁର ଶର୍ମାଙ୍କ ତରଫରୁ ହାଜର ହୋଇଥିବା ଓକିଲ ମନିନ୍ଦର ସିଂହ କହିଥିଲେ ଯେ ତାଙ୍କ ମହକିଲ ମହମ୍ମଦଙ୍କ ଉପରେ ମନ୍ତବ୍ୟକୁ ପ୍ରତ୍ୟାହାର କରିଛନ୍ତି ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ନୂପୁର ଟିଭି ମାଧ୍ୟମରେ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ୍।

ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ଓକିଲଙ୍କୁ କହିଥିଲେ, “ସେ ବହୁତ ବିଳମ୍ବ କରିଦେଲେ ଏବଂ ସର୍ତ୍ତମୂଳକ ଭାବେ ତାଙ୍କ ମନ୍ତବ୍ୟ ଫେରାଇ ନେଇଥିଲେ।

ନୂପୁରଙ୍କ ଅହଂକାର ମନୋଭାବକୁ ମଧ୍ୟ ସମାଲୋଚନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଣେ ପାର୍ଟିର ମୁଖପାତ୍ର ବୋଲି ତମେ ଯାହା ଚାହିଁବ ତାହା କହିବ କି ବୋଲି ସୁପ୍ରିମକୋର୍ଟ ନୂପୁରଙ୍କୁ ପ୍ରଶ୍ନ କରିଛନ୍ତି । ଏହି ନିଲମ୍ବିତ ବିଜେପି ନେତ୍ରୀ ଶସ୍ତା ଲୋକପ୍ରିୟତା କିମ୍ବା କୌଣସି ନ୍ୟସ୍ତ ସ୍ୱାର୍ଥ ପାଇଁ ଏପରି ମନ୍ତବ୍ୟ ଦେଇଥିଲେ । ସମଗ୍ର ଦେଶରେ ଆଜି ଯାହା ଘଟୁଛି ସେଥିପାଇଁ ନୂପୁର ଶର୍ମା ହିଁ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Comments are closed.