ଫାଇବରନେଟ୍ ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ବସ୍ତି, ଗିରଫ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ରାୟ ନ ଆସିବା ଯାଏଁ ଫାଇବରନେଟ ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ନ କରିବାକୁ କୋର୍ଟ ଆନ୍ଧ୍ର ପ୍ରଦେଶ ପୋଲିସକୁ‌ କହିଛନ୍ତି ।

ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ବେଲା ଏମ୍ ତ୍ରିବେଦୀଙ୍କ ଏକ ଖଣ୍ଡପୀଠ ଫାଇବରନେଟ ମାମଲାରେ ନାଇଡୁଙ୍କ ଜାମିନ ଆବେଦନ ଉପରେ ଶୁଣାଣି ନଭେମ୍ବର ୯ରେ କରିବେ । ସେପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ଖଣ୍ଡପୀଠ ଆନ୍ଧ୍ର ପ୍ରଦେଶ ପୋଲିସକୁ କହିଛନ୍ତି ।

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ରୁଜୁ ଏଫ୍ଆଇଆର୍ ରଦ୍ଦ କରିବାକୁ ନାଇଡୁଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ନାଇଡୁ ବର୍ତ୍ତମାନ ଜେଲରେ ଅଛନ୍ତି।

ଫାଇବରନେଟ୍ ମାମଲା ଆନ୍ଧ୍ର ପ୍ରଦେଶ ଫାଇବରନେଟ୍ ପ୍ରୋଜେକ୍ଟ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଅନିୟମିତତା ସହ ଜଡ଼ିତ | ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଫାଇବରନେଟ୍ ପ୍ରୋଜେକ୍ଟ ପାଇଁ ତାଙ୍କ ପସନ୍ଦର କମ୍ପାନୀକୁ ୩୩୦ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

Comments are closed.