ଜ୍ଞାନବାପି ମସଜିଦ ମାମଲା: ତଳ କୋର୍ଟର ଶୁଣାଣି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତାକାଲି ଯାଏଁ ସ୍ଥଗିତ ରଖିଛନ୍ତି। ଏହାଛଡ଼ା ଏହି ମାମଲାରେ ବନାରସ ଟ୍ରାଏଲ କୋର୍ଟର ଶୁଣାଣି ଉପରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି ।

ଆସନ୍ତାକାଲି ଅପରାହ୍ନ ୩ଟାରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ସେପର୍ଯ୍ୟନ୍ତ ବନାରସ କୋର୍ଟ ଏହି ମାମଲାରେ ଆଜି କୌଣସି ଆଦେଶ ଦେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ମଙ୍ଗଳବାର ସୁପ୍ରିମକୋର୍ଟ ଜ୍ଞାନବାପି ମସଜିଦ ପରିସରରେ ସର୍ଭେ ବିରୋଧରେ ମସଜିଦ ପରିଚାଳନା କମିଟିର ଆବେଦନର ଶୁଣାଣି ଆରମ୍ଭ କରିଥିଲେ।

ଶୁଣାଣି ସମୟରେ ଅଦାଲତ କହିଥିଲେ ଯେ ଜ୍ଞାନବାପି ମସଜିଦରେ ନମାଜ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହା ସହିତ ସୁପ୍ରିମକୋର୍ଟ ବାରାଣସୀ ପ୍ରଶାସନକୁ ମସଜିଦ ପରିସରରେ ଯେଉଁଠାରେ ଶିବଲିଙ୍ଗ ମିଳିଛି ବୋଲି ଦାବି କରାଯାଉଛି ସେହି ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅପରପକ୍ଷରେ ଆଜି ଜ୍ଞାନବାପି ମସଜିଦ ସର୍ଭେ ରିପୋର୍ଟ ବନାରସ ସିଭିଲ କୋର୍ଟରେ ଦାଖଲ କରାଯାଇଛି।ଆଡଭୋକେଟ୍ ବିଶାଲ ସିଂହ ଆଜି ସକାଳ ୧୦:୧୫ରେ କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି।

ବିଶାଲ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ପରିସରର ଭିଡିଓଗ୍ରାଫି ଡାଟା ମେମୋରୀ କାର୍ଡ ଆକାରରେ କୋର୍ଟକୁ ହସ୍ତାନ୍ତର କରାଯାଇଛି। ବିଶାଲ ସିଂହ କହିଛନ୍ତି ଯେ ଉଭୟ ପକ୍ଷର ଉପସ୍ଥିତିରେ ସର୍ଭେ ରିପୋର୍ଟ ମଧ୍ୟ ଖୋଲାଯାଇ ପାରିବ।

Comments are closed.