ମଣିପୁର ଭାଇରାଲ ଭିଡିଓ ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ଚଲେଇ ଚଲେଇ ନେବା ଭାଇରାଲ ଭିଡିଓ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା‌କୁ ନେଇ କେନ୍ଦ୍ର ସରକାର ବିରୋଧୀଙ୍କ ଟାର୍ଗେଟରେ ରହିଛି । ଏବେ ଏହି ଘଟଣାରେ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି। ଏହା ବେଶ୍ ବିଚଳିତ କଲା ଭଳି ଘଟଣା । ଏପରି ଘଟଣା ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ସୁପ୍ରିମକୋର୍ଟ ‌। ଏଥିସହ କୋର୍ଟ ଏହି ଘଟଣା ନେଇ କେନ୍ଦ୍ର ଓ ମଣିପୁର ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଏକ ଖଣ୍ଡପୀଠ ମଣିପୁର ଭିଡିଓ ଘଟଣାରେ ନିଜଆଡୁ ହସ୍ତକ୍ଷେପ କରି କେନ୍ଦ୍ର ଏବଂ ମଣିପୁର ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, “ମୁଁ ଭାବୁଛି ସରକାର ପ୍ରକୃତରେ ଆଗକୁ ଆସି କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି । କାରଣ ଏହା ଆଦୌ ଗ୍ରହଣୀୟ ନୁହେଁ। ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ କିଛି ସମୟ ଦେବୁ । ଯଦି ସରକାର ଏଥିରେ ବିଫଳ ହୁଅନ୍ତି, ତେବେ ଆମେ ଏହି ମାମଲାରେ ଆକ୍ସନ ନେବୁ ବୋଲି ସେ କହିଛନ୍ତି।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସାମ୍ପ୍ରଦାୟିକ ଉତ୍ତେଜନାପୂର୍ଣ୍ଣ ମାହୋଲରେ ହିଂସା ଘଟାଇବା ପାଇଁ ମହିଳାମାନଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରିବା ଘଟଣା ଆମକୁ ବିଚଳିତ କରିଛି । ଏହା ଗ୍ରହଣୀୟ ନୁହେଁ।

ଏହା ସାମ୍ବିଧାନିକ ତଥା ମାନବିକ ଅଧିକାରର ଚରମ ଉଲ୍ଲଂଘନ ବୋଲି ସେ କହିଛନ୍ତି । ବୁଧବାର ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେ ସମ୍ପର୍କରେ କୋର୍ଟ ଅବଗତ ଅଛନ୍ତି। ଏହା ମେ ୪ର ଭିଡ଼ିଓ । କିନ୍ତୁ ଏଥିରେ କୌଣସି ଫରକ ପଡ଼ିବ ନାହିଁ।

ଏହି ମାମଲାର ଖଣ୍ଡପୀଠ ଶୁଣାଣି ଆରମ୍ଭ କରିବା ମାତ୍ରେ ପ୍ରଧାନ ବିଚାରପତି ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟାରମଣି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ।

ଅପରାଧୀଙ୍କ ବିରୋଧରେ ମେ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ କ’ଣ ପଦକ୍ଷେପ ନିଆଯାଇଛି ଏବଂ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ଜଣାଇବାକୁ କୋର୍ଟ କେନ୍ଦ୍ରଙ୍କୁ କହିଛନ୍ତି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୮ରେ ହେବ।

Comments are closed.