ଲକ୍ଷ୍ମୀପୁର ମାମଲାର ଆଜି ନିଜଆଡୁ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ଏହି ଘଟଣାର ସଜ୍ଞାନ ନେଇଛନ୍ତି । ପ୍ରଧାନ ବିଚାରପତି ଏନଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ସୂଚନାଯୋଗ୍ୟ ଯେ ଏହି ଘଟଣାରେ ଚାରିଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କ ସମେତ ଆଠ ଜଣ ପ୍ରାଣ ହରାଇଥିଲେ। ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ବିକ୍ଷୋଭରତ ଚାଷୀମାନଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା । ଲକ୍ଷ୍ମୀପୁର ହିଂସାରେ ଚାରି ଚାଷୀଙ୍କ ସହ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ତଦନ୍ତରେ ପୋଲିସର ନିଷ୍କ୍ରିୟତା ନେଇ ବିବାଦ ବଢ଼ୁଥିବା ବେଳେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଗୁରୁବାର ଏହି ମାମଲାର ଶୁଣାଣି କରିବେ ।
ଲକ୍ଷ୍ମୀପୁର ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧୀ ଏକାଠି ହୋଇଛନ୍ତି । ଉତ୍ତର ପ୍ରଦେଶର ଯୋଗୀ ସରକାର ଏହି ମାମଲାରେ ଏଫ୍‌ଆଇଆର୍ ରୁଜୁ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କ ବିରୋଧରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି । ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ ।

ଗତ ରବିବାର ଲକ୍ଷ୍ମୀପୁର ଖେରୀରେ ଦଳେ ଚାଷୀ ବିକ୍ଷୋଭ କରୁଥିବା ବେଳେ ଏକ କଳା ରଙ୍ଗର ଏସ୍‌ୟୁଭି ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଚାଷୀଙ୍କ ଉପରେ ଉଦ୍ଦେଶ୍ୟ ମୂଳକ ଭାବେ ଗାଡ଼ି ଚଢ଼ାଇ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଚାରି ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟିଥିବା ହିଂସାରେ ଆଉ ଚାରି ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ହିଁ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଥିଲେ ବୋଲି ଅଭିଯୋଗ ହୋଇଛି । ହେଲେ ଅଜୟ ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଘଟଣାସ୍ଥଳରେ ତାଙ୍କ ପୁଅ ନଥିଲେ ବୋଲି ସେ କହିଛନ୍ତି । ସେପଟେ ବିରୋଧୀ ଦଳ ଏହି ଘଟଣାକୁ ନେଇ ମୋଦି ଓ ଯୋଗୀ ସରକାରକୁ ଘେରିଛନ୍ତି । ଅଜୟ ମିଶ୍ରଙ୍କ ପୁଅକୁ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଲକ୍ଷ୍ମୀପୁର ଖେରି ହିଂସାକୁ ନେଇ କୃଷକ ସଂଗଠନ ମଧ୍ୟ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Comments are closed.