ଜ୍ଞାନବାପି ମସଜିଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ବାରାଣାସୀରେ ଜ୍ଞାନବାପି ମସଜିଦ ପରିସରରେ ସର୍ଭେ ବିରୋଧରେ ମସଜିଦ ପ୍ରବନ୍ଧକ କମିଟି ପକ୍ଷରୁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ।

ସୁପ୍ରିମକୋର୍ଟର ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ୍ ନରସିଂହାଙ୍କ ଏକ ଖଣ୍ଡପୀଠ ମସଜିଦ ପ୍ରବନ୍ଧକ କମିଟି ‘ଅଞ୍ଜୁମନ‌ ଇନ୍ତେଜାମିଆ ମସଜିଦ’ ତରଫରୁ ଦାୟର ପିଟିସନର ଶୁଣାଣି କରିବେ ।

ଜ୍ଞାନବାପି ମସଜିଦରେ ସର୍ଭେ ଉପରେ ରୋକ୍ ଲଗାଇବା ପାଇଁ ଗତ ସପ୍ତାହରେ ‘ଅଞ୍ଜୁମନ‌ ଇନ୍ତେଜାମିଆ ମସଜିଦ’ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ତେବେ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ମନା କରିଦେଇଥିଲେ। କିନ୍ତୁ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି ପାଇଁ ଆବେଦନପତ୍ର ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ ।

ଜ୍ଞାନବାପି ମସଜିଦରେ ସର୍ଭେ କାର୍ଯ୍ୟ ସୋମବାର ଶେଷ ହୋଇଛି। ତୃତୀୟ ତଥା ଶେଷ ଦିନରେ ହିନ୍ଦୁ ପକ୍ଷ ଦାବି କରିଥିଲେ ଯେ ସର୍ଭେ ସମୟରେ ମସଜିଦ ପରିସରରେ ଶିବଲିଙ୍ଗ ମିଳିଛି। ତେବେ ମୁସଲିମ ପକ୍ଷ ଏପରି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Comments are closed.