ଶତ ପ୍ରତିଶତ ଭିଭିପାଟ୍ ଯାଞ୍ଚ୍ ନେଇ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନରେ ସମସ୍ତ ‘ଭିଭିପାଟ୍’ ସ୍ଲିପର ଶତ ପ୍ରତିଶତ ଯାଞ୍ଚ୍ କରିବାକୁ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସମ୍ପ୍ରତି ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ପାଞ୍ଚଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)ର ଯାଞ୍ଚ କରାଯାଉଛି ।

‘ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍’ (ଭିଭିପିଏଟି) ହେଉଛି ଏକ ଭୋଟ୍ ଯାଞ୍ଚ୍ ପ୍ରଣାଳୀ ।ଏହାଦ୍ବାରା ଜଣେ ଭୋଟର ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ଜାଣିପାରିବେ ।

ଭିଭିପାଟ୍ ମାଧ୍ୟମରେ ମେସିନରୁ ଏକ କାଗଜ ସ୍ଲିପ୍ ବାହାରିଥାଏ, ଯାହାକୁ ଭୋଟର ଦେଖିପାରିବେ । ଏହି ସ୍ଲିପ୍ ଏକ ସିଲ୍ ବକ୍ସରେ ରଖାଯାଇଥାଏ । ବିବାଦ ହେଲେ ଏହା ଖୋଲାଯାଇପାରେ |

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ନାମକ ଏନଜିଓ ଓ ସାମାଜିକ କର୍ମୀ ଅରୁଣ କୁମାର ଅଗ୍ରୱାଲଙ୍କ ଦ୍ବାରା ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୧ରେ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ।

ଏହି ଆବେଦନରେ କୁହାଯାଇଛି ଯେ, ସରକାର ୨୪ ଲକ୍ଷ ଭିଭିପାଟ୍ ମେସିନ୍ କିଣିବା ପାଇଁ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ବର୍ତ୍ତମାନ ପ୍ରାୟ ୨୦,୦୦୦ ଭିଭିପାଟ୍ ସ୍ଲିପ୍ ହିଁ ଯାଞ୍ଚ କରାଯାଉଛି। କ୍ରମାନ୍ୱୟରେ ଭିଭିପାଟ୍ ଗଣିବା ନେଇ ନିର୍ବାଚନ କମିଶନଙ୍କ ନୀତିକୁ ମଧ୍ୟ ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ଏହାଦ୍ବାରା ଅଯଥା ବିଳମ୍ବ ହେବ ବୋଲି ଆବେଦନକାରୀ କହିଛନ୍ତି । ଯଦି ଏକାସାଙ୍ଗରେ ସମସ୍ତ ଭିଭପାଟ୍ ଗଣିବାକୁ ଅନୁମତି ଦିଆଯାଏ ଓ ଗଣନା ପାଇଁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଅଧିକ ଅଧିକାରୀ ନିଯୁକ୍ତ ହୁଅନ୍ତି, ତେବେ ସମସ୍ତ ଭିଭିପାଟ୍ ସ୍ଲିପର ଗଣନା ମାତ୍ର ୫-୬ ଘଣ୍ଟା ମଧ୍ୟରେ ହୋଇପାରିବ ବୋଲି ଆବେଦନରେ କୁହାଯାଇଛି।

ଗତି କିଛି ନିର୍ବାଚନରେ ଭିଭପାଟ୍ ଗଣନା ଏବଂ ଇଭିଏମ୍ ଫଳାଫଳ ମଧ୍ୟରେ ଅସଙ୍ଗତି ରହିଥିବା ଅଭିଯୋଗ ହୋଇଥିଲା । ଅତଏବ ଭିଭିପାଟ୍ ସ୍ଲିପ ଗୁଡ଼ିକର ଶତ ପ୍ରତିଶତ ଗଣନା କରାଯାଇ ଭୋଟରଙ୍କୁ ତାଙ୍କ ଭୋଟ୍ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ନିଶ୍ଚିତ କରିବାକୁ ସୁଯୋଗ ଦିଆଯିବା ଉଚିତ | ଏଥିପାଇଁ ଭୋଟରମାନଙ୍କୁ ଭିଭିପାଟ୍ ସ୍ଲିପକୁ ନିଜେ ବକ୍ସରେ ରଖିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତିି ।

ବର୍ତ୍ତମାନ ଭୋଟର କେବଳ ୭ ସେକେଣ୍ଡ ପାଇଁ ଭିଭିପାଟ୍ ସ୍ଲିପ୍ ଦେଖିପାରୁଛନ୍ତି । ଇଭିଏମରେ ଭୋଟ୍ ଦିଆଯିବା ପରେ ମେସିନ୍ ଭିତରେ ଦେଖାଯାଉଥିବା ଭିଭିପାଟ୍ ସ୍ଲିପ୍ ୱିଣ୍ଡୋକୁ ଦେଖି ଭୋଟରମାନେ ନିଜ ଭୋଟ୍ ନିଶ୍ଚିତ କରିପାରୁଛନ୍ତି | ୭ ସେକେଣ୍ଡ ପରେ ଭିଭିପାଟ୍ ସ୍ଲିପ୍ ଆପେ ଆପେ ତଳେ ଥିବା ବକ୍ସରେ ପଡ଼ିବ ।

Comments are closed.