ବନ୍ଦ ହେବ ମାଗଣା ଯୋଜନା ? ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ଦ୍ଵାରା ଦିଆଯାଉଥିବା ମାଗଣା ଯୋଜନା ପ୍ରତିଶ୍ରୁତି ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗତ ଶୁଣାଣିରେ କେନ୍ଦ୍ର ସରକାର କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ବିଶେଷଜ୍ଞ କମିଟି ଗଠନ ବିଷୟରେ ଆଲୋଚନା କରିଥିଲେ। ଏହି କମିଟିରେ ଅର୍ଥ ଆୟୋଗ, ନୀତି ଆୟୋଗ, ରିଜର୍ଭ ବ୍ୟାଙ୍କ (ଆରବିଆଇ), ଆଇନ ଆୟୋଗ, ରାଜନୈତିକ ଦଳ ସମେତ ଅନ୍ୟ ଦଳର ପ୍ରତିନିଧୀ ରହିବା ଉଚିତ ବୋଲି କୋର୍ଟ କହିଛନ୍ତି।

ଏହାପୂର୍ବରୁ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କମିଟି ସମ୍ପର୍କରେ କୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ। ସଚିବ, କେନ୍ଦ୍ର ସରକାର, ପ୍ରତ୍ୟେକ ରାଜ୍ୟ ସରକାରଙ୍କ ସଚିବ, ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧୀ, ନୀତି ଆୟୋଗ, ଆରବିଆଇ, ଅର୍ଥ ଆୟୋଗ ଏବଂ ଜାତୀୟ ଟିକସଦାତା ସଂଘକୁ ନେଇ ଏକ କମିଟି ଗଠନ କରାଯାଉ ବୋଲି ତୁଷାର ମେହେଟ୍ଟା ପ୍ରସ୍ତାବ ଦେଇଥିଲେ ।

ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି। ଏହି ମାମଲାରେ କୋର୍ଟ ଭାରତ ସରକାର, ଆବେଦନକାରୀ ତଥା ଓକିଲ କପିଲ ସିବଲଙ୍କଠାରୁ ପ୍ରସ୍ତାବ ଲୋଡିଥିଲେ। ଏଥିପାଇଁ କୋର୍ଟ ସାତ ଦିନ ସମୟ ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନରେ ​​ମାଗଣା ଯୋଜନା ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ଏହି ଯୋଜନା ଉପରେ ବିଚାର କରିବାକୁ କୋର୍ଟ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ କହିଥିଲେ ।

ଏହାପୂର୍ବରୁ ଅଗଷ୍ଟ ୧୧ରେ ଏବଂ ତା ପୂର୍ବରୁ ଅଗଷ୍ଟ ୩ରେ କୋର୍ଟରେ ଶୁଣାଣି ହୋଇଥିଲା। ମାଗଣା ଯୋଜନା ଘୋଷଣା କରୁଥିବା ରାଜନୈତିକ ଦଳର ମାନ୍ୟତା ବାତିଲ କରାଯାଉ ବୋଲି କୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଦାବି କରାଯାଇଛି। ଏହି ଆବେଦନ ବିରୋଧରେ ଆମ୍ ଆଦମୀ ପାର୍ଟି କୋର୍ଟରେ ପହଞ୍ଚିଛି। ‘ରେବଡୀ (ମାଗଣା) ସଂସ୍କୃତି’ ନେଇ ବିରୋଧୀ ଦଳଗୁଡିକ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟାକ୍ଷର ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ କିଛି କର୍ପୋରେଟ୍ ବନ୍ଧୁଙ୍କ ବ୍ୟାଙ୍କ ଋଣ ଛାଡ କରାଯିବା ଟିକସଦାତାଙ୍କ ପ୍ରତି ଧୋକ୍କା । ମାଗଣା ଯୋଜନା ଉପରେ ଏକ ଜନମତ ସୃଷ୍ଟି କରିବା ପାଇଁ ସେ ଆହ୍ବାନ ମଧ୍ୟ ଦେଇଥିଲେ।

Comments are closed.