ଆଜି ଆସିବ ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ସରକାରଙ୍କ ୨୦୧୬ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ଜଷ୍ଟିସ୍ ଏସ୍ ଏ ନାଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇବା ସମ୍ଭାବନା ରହିଛି। ସର୍ବୋଚ୍ଚ ନ୍ୟାୟାଳୟର ତାଲିକା ଅନୁଯାୟୀ, ଏହି ମାମଲାରେ ଦୁଇଟି ପୃଥକ ରାୟ ଆସିବ, ଯାହାକୁ ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ବି.ଭି ନାଗରାତ୍ନା ଘୋଷଣା କରିବେ।

ସରକାରଙ୍କ ୨୦୧୬ ନୋଟବନ୍ଦୀ ନିଷ୍ପତ୍ତି ସମ୍ବନ୍ଧୀୟ ସବୁ ରେକର୍ଡ ସଂରକ୍ଷିତ ରଖିବାକୁ ଡିସେମ୍ବର ୭ରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟାରମଣି, ଆରବିଆଇର ଓକିଲ ତଥା ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ୍ ଏବଂ ଆବେଦନକାରୀଙ୍କ ଓକିଲ ଶ୍ୟାମ ଦିଓ୍ବାନଙ୍କ ଯୁକ୍ତି ଶୁଣିଥିଲେ । ଚିଦାମ୍ବରମ୍ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବିମୁଦ୍ରୀକରଣକୁ ଗୁରୁତର ତ୍ରୁଟି ବୋଲି କହିଥିଲେ । ଚିଦାମ୍ବରମ୍ ଯୁକ୍ତି କରିଥିଲେ ଯେ ସରକାର ଦେଶର ଲିଗାଲ ଟେଣ୍ଡର ବା ମୁଦ୍ରା ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ନିଜଆଡୁ ଆରମ୍ଭ କରିପାରିବେ ନାହିଁ । ଏହା କେବଳ ଆରବିଆଇ କେନ୍ଦ୍ରୀୟ ବୋର୍ଡର ସୁପାରିସ ଅନୁଯାୟୀ ହିଁ କରାଯିବା ଉଚିତ ।

୨୦୧୬ ବିମୁଦ୍ରୀକରଣ ନିଷ୍ପତ୍ତିର ପୁନଃ ସମୀକ୍ଷା କରିବାକୁ ସର୍ବୋଚ୍ଚ ଅଦାଲତର ପ୍ରୟାସକୁ ବିରୋଧ କରି ସରକାର କହିଛନ୍ତି ଯେ କୋର୍ଟ ଏଭଳି ନିଷ୍ପତ୍ତି ନେଇ ପାରିବେ ନାହିଁ। ଏକ ସତ୍ୟପାଠରେ କେନ୍ଦ୍ର କୋର୍ଟକୁ କହିଥିଲା ଯେ ବିମୁଦ୍ରୀକରଣ ନିଷ୍ପତ୍ତି ଜାଲ୍ ନୋଟ୍, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, କଳା ଟଙ୍କା ଏବଂ ଟିକସ ଫାଙ୍କି ବିରୋଧରେ ଏକ ବୃହତର ରଣନୀତିର ଅଂଶବିଶେଷ ଥିଲା। ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୮, ୨୦୧୬ରେ କେନ୍ଦ୍ରର ବିମୁଦ୍ରୀକରଣ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ୫୮ ଟି ପିଟିସନର ଶୁଣାଣି କରିଥିଲେ।

Comments are closed.