ଜ୍ଞାନବାପି ମସଜିଦ ମାମଲାକୁ ବାରାଣସୀ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ, ସର୍ଭେ ରିପୋର୍ଟ ଲିକ୍ ନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜ୍ଞାନବାପି ମସଜିଦ ମାମଲାକୁ ବାରାଣସୀ ସେସନ୍ସ କୋର୍ଟରୁ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଜିଲ୍ଲା ଜଜଙ୍କ ଉପରେ ପ୍ରଶ୍ନ ଉଠାଇ ପାରିବୁ ନାହିଁ । ତାଙ୍କର ୨୫ ବର୍ଷର ଅଭିଜ୍ଞତା ଅଛି। ଏହା ସହିତ ‘ଶିବଲିଙ୍ଗ’ ମିଳିଥିବା ସ୍ଥାନକୁ ସିଲ୍ କରିବା ଏବଂ ସୀମିତ ସଂଖ୍ୟକ ମୁସଲମାନଙ୍କୁ ନମାଜ୍ ପାଠ କରିବାକୁ ଏବଂ ଅଲଗା ସ୍ଥାନରେ ବଜୁଖାନା (ନମାଜ ପୂର୍ବରୁ ଗୋଡ଼ହାତ ଧୋଇବା ସ୍ଥାନ) କରିବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ଅନ୍ତରୀଣ ଆଦେଶ ଜାରି କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ ମେ ୧୭ରେ ଲାଗୁ ହୋଇଥିବା ଏହି ଆଦେଶ ୮ ସପ୍ତାହ ଅର୍ଥାତ୍ ଜୁଲାଇ ୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଜ୍ଞାନବାପି ମସଜିଦ ବିବାଦକୁ ଏକ ଜଟିଳ ସାମାଜିକ ସମସ୍ୟା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମଣିଷ ଦ୍ବାରା ଏହି ବିବାଦର କୌଣସି ସଠିକ୍ ସମାଧାନ ହୋଇପାରିବ ନାହିଁ | ଆମର ଆଦେଶ ଥିଲା ଶାନ୍ତି ବଜାୟ ରଖିବା। ଅନ୍ତରୀଣ ଆଦେଶ ଦ୍ବାରା ଏହି କାର୍ଯ୍ୟ ହୋଇପାରିବ | ଦେଶର ଏକତା ଅମର ଲକ୍ଷ୍ୟ । ଏହାଛଡ଼ା, ସର୍ଭେ ରିପୋର୍ଟ ଲିକ୍ କରାଯିବାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । କୋର୍ଟ କହିଛନ୍ତି ଯେ ରିପୋର୍ଟ ଥରେ ଆସିବା ପରେ ଏହାର କିଛି ନିର୍ଦ୍ଦିଷ୍ଟ ଅଂଶ ଜାଣିଶୁଣି ଲିକ୍ କରାଯିବା ଠିକ୍ ନୁହେଁ । ଆଗକୁ ସର୍ଭେ ରିପୋର୍ଟ ଲିକ୍ ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ବିଚାରପତି ହିଁ ସର୍ଭେ ରିପୋର୍ଟକୁ ଖୋଲିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଜ୍ଞାନବାପି ମସଜିଦର ଭିଡ଼ିଓ ସର୍ଭେ ପାଇଁ ବାରାଣସୀ ଜିଲ୍ଲା କୋର୍ଟ ଆଦେଶକୁ ଚ୍ୟାଲେଞ୍ଜ କରି ମସଜିଦର ପରିଚାଳନା କମିଟି ‘ଅଞ୍ଜୁମାନ ଇନ୍ତେଜାମିଆ ମାସଜିଦ’ର ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି ।

ଏହି ମାମଲାରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ମଧ୍ୟ ଶୁଣାଣି ହେବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି। ଜ୍ଞାନବାପି ମସଜିଦର ପରିଚାଳନା କମିଟି ‘ଅଞ୍ଜୁମାନ ଇନ୍ତେଜାମିଆ ମାସଜିଦ’ ଏବଂ ଅନ୍ୟମାନଙ୍କ ଦ୍ଵାରା ଦାୟର ହୋଇଥିବା ଆବେଦନର ଶୁଣାଣି ପରେ ଜଷ୍ଟିସ ପ୍ରକାଶ ପାଦିଆ ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୬ କୁ ଦିନ ଧାର୍ଯ୍ୟ କରିଛନ୍ତି।

Comments are closed.