ବର୍ଷର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ଦୌଡ଼ରେ ସୂର୍ଯ୍ୟକୁମାର, ମନ୍ଧାନା

ଦୁବାଇ: ଭାରତୀୟ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଓ ସ୍ମୃତି ମନ୍ଧାନା ୨୦୨୨ରେ ଚମତ୍କାର ପ୍ରଦର୍ଶନ ପାଇଁ ଯଥାକ୍ରମେ ପୁରୁଷ ଏବଂ ମହିଳା ବର୍ଗରେ ଆଇସିସି ଟି-୨୦ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ପୁରୁଷ ବିଭାଗରେ ଏହି ଶ୍ରେଷ୍ଠ ସମ୍ମାନ ପାଇଁ ସୂର୍ଯ୍ୟକୁମାରଙ୍କ ବ୍ୟତୀତ ବିଶ୍ୱକପ୍ ବିଜେତା ଇଂଲଣ୍ଡ ଅଲରାଉଣ୍ଡର ସାମ କରନ୍, ପାକିସ୍ତାନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଏବଂ ଜିମ୍ବାୱେ ଅଲରାଉଣ୍ଡର ସିକନ୍ଦର ରଜାଙ୍କ ସହ ମଧ୍ୟ ଦୌଡ଼ରେ ଅଛନ୍ତି ।

ମହିଳା ବିଭାଗରେ ମନ୍ଧାନାଙ୍କୁ ପାକିସ୍ତାନର ବୋଲିଂ ଅଲରାଉଣ୍ଡର ନିଦା ଦାର, ନ୍ୟୁଜିଲ୍ୟାଣ୍ଡର ସୋଫି ଡିଭାଇନ୍ ଏବଂ ଅଷ୍ଟ୍ରେଲିଆର ତାହଲିଆ ମ୍ୟାକଗ୍ରାଥ୍ ଚ୍ୟାଲେଞ୍ଜ ଦେବେ ।

୨୦୨୨ ମସିହାରେ କ୍ରିକେଟର ଏହି ଛୋଟ ଫର୍ମାଟରେ ସୂର୍ଯ୍ୟକୁମାର ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ବର୍ଷ ଦ୍ୱିତୀୟ ଖେଳାଳି ଭାବେ ସୂର୍ଯ୍ୟକୁମାର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ରୁ ଅଧିକ ରନ୍ ସ୍କୋର କରିଥିଲେ ।

ସେ ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ରେ ୧୧୬୪ ରନ୍ କରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ୍ ହାର ୧୮୭.୪୩ ରହିଛି। ସେ ଚଳିତ ବର୍ଷ ୬୮ ଛକା ମାରିଛନ୍ତି ଯାହା ଏକ ଟି-୨୦ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ବର୍ଷରେ ରେକର୍ଡ। ସେ ଚଳିତ ବର୍ଷ ଟି-୨୦ ର଼୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ବି ହୋଇଥିଲେ।

ଗତ ବର୍ଷ ଆଇସିସି ମହିଳା ଟି-୨୦ କ୍ରିକେଟର ଅଫ୍ ଦି ଇୟର ଭାବେ ହୋଇଥିବା ମନ୍ଧାନା ପୁଣି ଏହି ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି। ଜଣେ ଭାରତୀୟ ମହିଳାଙ୍କ ମଧ୍ୟରେ ଦ୍ରୁତତମ ଅର୍ଦ୍ଧଶତକ (୨୩ ବଲରୁ) ହେଉ କିମ୍ବା ଏହି ଫର୍ମାଟରେ ୨୫୦୦ ରୁ ଅଧିକ ରନ୍, ମନ୍ଧାନା ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି |

Comments are closed.