ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର, ଭେଙ୍କଟେଶଙ୍କ ଲମ୍ବା ଲମ୍ଫ

ଦୁବାଇ: ଆଇସିସିର ସଦ୍ୟତମ ଟି-୨୦ ବ୍ୟାଟ୍ସମ୍ୟାନ୍ ର଼୍ୟାଙ୍କିଙ୍ଗ୍ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବ ଏବଂ ଭେଙ୍କଟେଶ ଆୟର୍ ଲମ୍ବା ଲମ୍ଫ ମାରିଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚିତ୍ତାକର୍ଷକ ପ୍ରଦର୍ଶନ ପରେ ବୁଧବାର ପ୍ରକାଶିତ ଆଇସିସି ପୁରୁଷ ଟି-୨୦ ଆନ୍ତର୍ଜାତୀୟ ମାନ୍ୟତାରେ ସୁର୍ଯ୍ୟକୁମାର ଯାଦବ ଏବଂ ଭେଙ୍କଟେଶ ଆୟର ଯଥାକ୍ରମେ ୨୧ ତମ ଏବଂ ୧୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତ ଏହି ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା। ଏହି ସିରିଜରେ ସୁର୍ଯ୍ୟକୁମାର ଭାରତର ସର୍ବାଧିକ ରନ୍ ସ୍କୋରର୍ ହୋଇଥିବାବେଳେ ଭେଙ୍କଟେଶ ଆୟର ଦ୍ୱିତୀୟ ସ୍ଥାନରେ ରହିଥିଲେ।

ଏହି ପ୍ରଦର୍ଶନ ବଳରେ ସୂର୍ଯ୍ୟକୁମାର ୩୫ତମ ସ୍ଥାନ ଉଠି ୨୧ତମ ସ୍ଥାନରେ ପହଞ୍ଚିବାକୁ ସକ୍ଷମ ହୋଇଥିବାବେଳେ ଆୟର ୨୦୩ଟି ସ୍ଥାନର ଲମ୍ବା ଲମ୍ଫ ସହ ୧୧୫ତମ ସ୍ଥାନରେ ପହଞ୍ଚିଥିଲେ |

ବିରାଟ କୋହଲି ବ୍ୟାଟ୍ସମ୍ୟାନ୍ ତାଲିକାରେ ଦଶମ ସ୍ଥାନ ବଜାୟ ରଖିଥିବା ବେଳେ କେ.ଏଲ୍ ରାହୁଲ ଦୁଇଟି ସ୍ଥାନ ହରାଇ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ବୋଲର ଏବଂ ଅଲରାଉଣ୍ଡର ତାଲିକାର ଶ୍ରେଷ୍ଠ ୧୦ରେ କେହି ଭାରତୀୟ ଖେଳାଳି ନାହାଁନ୍ତି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା ଏକମାତ୍ର ଖେଳାଳି ନିକୋଲାସ୍ ପୁରାନ୍ ପାଞ୍ଚଟି ସ୍ଥାନ ଉନ୍ନୀତ ହୋଇ ୧୩ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି ।

ଟପ୍ -୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପାକିସ୍ତାନର ବାବର ଆଜମ୍ ଏକ ନମ୍ବରରେ ଏବଂ ମହମ୍ମଦ ରିଜୱାନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଡେନ୍ ମାର୍କ୍ରାମ ତୃତୀୟ ସ୍ଥାନରେ ଥିବାବେଳେ ଡେଭିଡ ମାଲାନ ଚତୁର୍ଥ ଏବଂ ଡିଭନ କନୱେ ପାଞ୍ଚ ନମ୍ବରରେ ଅଛନ୍ତି। ବୋଲରଙ୍କ ମଧ୍ୟରେ ଟାବ୍ରେଜ ଶାମସି ପ୍ରଥମ, ଜୋଶ ହାଜଲେଉଡ ଦ୍ୱିତୀୟ ଏବଂ ଆଦିଲ ରସିଦ ତୃତୀୟ ସ୍ଥାନରେ ଅଛନ୍ତି।

Comments are closed.