ଚାକରାଣୀକୁ ଶାରୀରିକ ନିର୍ଯାତନା: ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ

ରାଞ୍ଚି: ଚାକରାଣୀକୁ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଝାଡ଼ଖଣ୍ଡର ନିଲମ୍ବିତ ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ମହେଶ୍ୱର ପାତ୍ରଙ୍କ ପତ୍ନୀ ସୀମା ପାତ୍ରଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ ରାଞ୍ଚିର ଆରଗୋଡା ପୋଲିସ ଥାନାରେ ରୁଜୁ ମାମଲା ଆଧାରରେ ସୀମା ପାତ୍ରଙ୍କୁ ଗିରଫ କରାଯାଇଛି ।

ଘରୋଇ ଚାକରାଣୀ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସୀମା ପାତ୍ରଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଏହାପୂର୍ବରୁ ମଙ୍ଗଳବାର ପୋଲିସ କହିଥିଲା ଯେ ସୀମା ପାତ୍ରଙ୍କ ଘରେ କାମ କରୁଥିବା ୨୯ ବର୍ଷୀୟା ଜଣେ ମହିଳାଙ୍କୁ ଅଗଷ୍ଟ ୨୨ରେ ପୋଲିସ ଟିମ୍ ଉଦ୍ଧାର କରିଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈଶ ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପୋଲିସର ନିଷ୍କ୍ରିୟତା ନେଇ ଉଦବେଗ ପ୍ରକାଶ କରିଥିଲେ।

ରାଜ୍ୟପାଳ ଭବନ ତରଫରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସେ ଡିଜିପିଙ୍କୁ ଏହି ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ।

ଅନ୍ୟପକ୍ଷରେ ଜାତୀୟ ମହିଳା ଆୟୋଗ ମଧ୍ୟ ଏହି ମାମଲାରେ ନିଜଆଡୁ ହସ୍ତକ୍ଷେପ କରି ଝାଡ଼ଖଣ୍ଡର ଡିଜିପିଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ଆୟୋଗ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରିବାକୁ ଏବଂ ଆବଶ୍ୟକ ସ୍ଥଳେ ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୀମା ପାତ୍ରଙ୍କ ବିରୋଧରେ ଅନେକ ସଙ୍ଗୀନ୍ ଅଭିଯୋଗ ଆସିଛି । ତାଙ୍କ ଘରୋଇ ଚାକରାଣୀକୁ ସେ ଗରମ ତାଓ୍ବାରେ ଚେଙ୍କ ଦେବା ସହ ଲୁହା ରଡରେ ଦାନ୍ତ ଭାଙ୍ଗିବା ଏବଂ ଖାଇବାକୁ ନ ଦେବା ଅଭିଯୋଗ ହୋଇଛି।

ପୋଲିସର ସୂଚନାନୁସାରେ, ପୀଡିତା ମହିଳା ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ବୟାନ ମଙ୍ଗଳବାର କୋର୍ଟରେ ମଧ୍ୟ ରେକର୍ଡ କରାଯାଇଛି।

Comments are closed.