ଦାଢ଼ି କାଟିବା ଉପରେ କଟକଣା ଲଗାଇଲା ତାଲିବାନ

କାବୁଲ: ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶରେ ଦାଢ଼ି କାଟିବା କିମ୍ବା ଛୋଟ କରିବା ଉପରେ କଟକଣା ଲଗାଇଛି ତାଲିବାନ। ଏହା ଇସଲାମିକ ଆଇନର ଉଲ୍ଲଂଘନ କରୁଛି ବୋଲି ତାଲିବାନ କହିଛି । ତାଲିବାନ ଧାର୍ମିକ ପୋଲିସ କହିଛି ଯେ ଏହି ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ।

ରାଜଧାନୀ କାବୁଲର କିଛି ବାରିକ କହିଛନ୍ତି ଯେ ସେମାନେ ମଧ୍ୟ ସମାନ ଆଦେଶ ପାଇଛନ୍ତି।

ଏହି ନିର୍ଦ୍ଦେଶାବଳୀରୁ ଏହା ସ୍ପଷ୍ଟ ଯେ ତାଲିବାନ ପୁଣି ତା’ର କଠୋର ନିୟମ ଲାଗୁ କରିବାକୁ ଯାଉଛି, ଯଦିଓ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ଯେ ଏଥର ଏହା ନରମ ଆଭିମୁଖ୍ୟ ଆପଣାଇବ।

ଗତ ମାସରେ କ୍ଷମତା ଦଖଲ କରିବା ପରେ ତାଲିବାନ ସେମାନଙ୍କ ବିରୋଧୀଙ୍କୁ କଠୋର ଦଣ୍ଡ ଦେଇଥିଲା। ଶନିବାର ଦିନ ଖବର ଆସିଥିଲା ​​ଯେ ତାଲିବାନୀମାନେ ଅପହରଣ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ହତ୍ୟା କରିଥିଲେ ଏବଂ ସେମାନଙ୍କ ମୃତଦେହକୁ ହେରାଟ ପ୍ରଦେଶର ରାସ୍ତା ମଝିରେ ଟଙ୍ଗାଇ ଦେଇଥିଲେ।

ହେଲମଣ୍ଡ ପ୍ରଦେଶର ସେଲୁନ୍ ଗୁଡ଼ିକ ବାହାରେ ନୋଟିସ୍ ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ତାଲିବାନ ଅଧିକାରୀମାନେ କେଶ ଏବଂ ଦାଢି କାଟିବା ପାଇଁ ଶାରିଆ ନିୟମ ପାଳନ କରିବାକୁ ଚେତାବନୀ ଦେଇଛନ୍ତି। କେହି ବି ଏହା ବିରୋଧରେ ଅଭିଯୋଗ କରିପାରିବେ ନାହିଁ ବୋଲି ଏଥିରେ ଲେଖାଯାଇଛି ।

କାବୁଲର ଜଣେ ବାରିକ କହିଛନ୍ତି, ତାଲିବାନୀମାନେ ବାରମ୍ବାର ଆସୁଛନ୍ତି ଏବଂ ଦାଢି ନ କାଟିବାକୁ ଆମକୁ ଚେତାବନୀ ଦେଉଛନ୍ତି।

ଅନ୍ୟ ଜଣେ ହେୟାର ଡ୍ରେସର କହିଛନ୍ତି ଯେ ନିର୍ଦ୍ଦେଶନାମା ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ତାଲିବାନ ନିଜର ଗୁପ୍ତଚର ମଧ୍ୟ ପଠାଇ ପାରନ୍ତି।

ସହରର ଏକ ପ୍ରମୁଖ ସେଲୁନ୍ ଚଳାଉଥିବା ଅନ୍ୟ ଜଣେ ବାରିକ କହିଛନ୍ତି ଯେ ତାଙ୍କୁ ମଧ୍ୟ ଏକ ଫୋନ୍ କଲ୍ ଆସିଥିଲା ଏବଂ ଉକ୍ତ ବ୍ୟକ୍ତି ଜଣକ ସରକାରୀ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେ ସେମାନଙ୍କୁ ‘ଆମେରିକୀୟ ଶୈଳୀ ଅନୁସରଣ କରିବା ବନ୍ଦ କରିବା’ ଏବଂ କାହାର ଦାଢି ନ କାଟିବା କିମ୍ବା ଆଦୌ ସେଭ୍ ନ ‌‌କରିବାକୁ କହିଥିଲେ ।

Comments are closed.