ତାଲିବାନ ବର୍ବରତା: ବିବାହ ଉତ୍ସବରେ ସଙ୍ଗୀତ ବଜାଇବାରୁ ୧୩ ଜଣଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇ କହିଥିଲା ଯେ ସେମାନେ ଆଉ ନିଜ କଠୋର ମୌଳବାଦୀ ନିୟମ କାନୁନ ଲାଗୁ କରିବେନି । ଲୋକଙ୍କ ଅଧିକାର ଓ ସ୍ବାଧୀନତାକୁ ସମ୍ମାନ ଦିଆଯିବ । କିନ୍ତୁ ତାଲିବାନର ଏହି ପ୍ରତିଶ୍ରୁତି ଯେ କେବଳ ଏକ ପାଣିର ଗାର ଥିଲା ତାହା ସମ୍ପ୍ରତି ଏକ ଛାତିଥରା ଘଟଣାରୁ ସ୍ପଷ୍ଟ ହୋଇଛି । ଏକ ବିବାହ ଉତ୍ସବରେ ସଂଗୀତ ବଜାଇବାରୁ ତାଲିବାନ ସଂଗ୍ରାମୀମାନେ ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ସଦ୍ୟତମ ଘଟଣା ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ଘଟିଛି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସୋସିଆଲ ମିଡିଆ ମାଧ୍ୟମରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ସାଲେହ ଟ୍ୱିଟ୍ କରି କହିଛନ୍ତି, ‘ନଙ୍ଗହରହର ଏକ ବିବାହ ଭୋଜିରେ ସଙ୍ଗୀତ ବଜାଇବାରୁ ତାଲିବାନ ୧୩ ଜଣଙ୍କୁ ହତ୍ୟା କରିଛି | ଆମେ ଏହାକୁ କେବଳ ନିନ୍ଦା କରି ଆମର କ୍ରୋଧ ପ୍ରକାଶ କରିପାରିବୁ ନାହିଁ | ୨୫ ବର୍ଷ ଧରି ପାକିସ୍ତାନ ସେମାନଙ୍କୁ(ତାଲିବାନ) ଆଫଗାନିସ୍ତାନ ସଂସ୍କୃତି ନଷ୍ଟ କରିବା ଏବଂ ଆମ ମାଟି ଦଖଲ କରି ଏକ କଠୋର ଆଇଏସ୍ଆଇ ଶାସନ ପ୍ରତିଷ୍ଠା କରିବାକୁ ତାଲିମ ଦେଇଥିଲା | ସେମାନେ ଏବେ ନିଜ କାମ କରୁଛନ୍ତି । ତାଲିବାନର ବର୍ବର ଶାସନ ଅଧିକ ଦିନ ରହିବ ନାହିଁ। ଦୁର୍ଭାଗ୍ୟବଶତଃ, ଏହି ଶାସନ ଶେଷ ହେବା ପର୍ଯ୍ୟନ୍ତ ଆଫଗାନିସ୍ତାନର ଲୋକଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ।

୧୯୯୬ ରୁ ୨୦୦୧ ମଧ୍ୟରେ ଯେତେବେଳେ ଆଫଗାନିସ୍ତାନ ତାଲିବାନ ଦ୍ୱାରା ଶାସିତ ହେଉଥିଲା, ସେତେବେଳେ ସଙ୍ଗୀତ ଉପରେ କଟକଣା ଲଗାଯାଇଥିଲେ। ତେବେ ତାଲିବାନର ନୂଆ ସରକାର ଏପର୍ଯ୍ୟନ୍ତ ଏପରି କୌଣସି ଆଦେଶ ଜାରି କରିନାହାଁନ୍ତି। ନଙ୍ଗରହାର ଘଟଣାରେ ସେମାନଙ୍କ ସମ୍ପୃକ୍ତିକୁ ତାଲିବାନ ଖଣ୍ଡନ କରିଛି ।

୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି କ୍ଷମତାକୁ ଫେରିଛି ତାଲିବାନ। ତାଲିବାନ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନ ପରିସ୍ଥିତି ନେଇ ଅନ୍ତର୍ଜାତୀୟ ସମୁଦାୟ ଚିନ୍ତିତ ହୋଇପଡ଼ିଛି । ତାଲିବାନ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଅଗଷ୍ଟ ୧୫ ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମୟରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଏହି ଯୁଦ୍ଧ ବିଧ୍ବସ୍ତ ଦେଶରୁ ସ୍ଥାନାନ୍ତର କରାଯାଇଥିଲା। ଭାରତ ସମେତ ଅଧିକାଂଶ ଦେଶ ଆଫଗାନିସ୍ତାନରେ ନିଜ ଦୂତାବାସ ବନ୍ଦ କରିଛନ୍ତି। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଲୋକମାନେ ତାଲିବାନର ସ୍ବେଚ୍ଛାଚାରୀ ଶାସନ ନେଇ ଭୟଭୀତ ହୋଇପଡିଛନ୍ତି। ତାଲିବାନ ପୁଣି ଥରେ ଦେଶରେ କଠୋର ଇସଲାମିକ ଶରିଆ ନିୟମ ଲାଗୁ କରିବ ବୋଲି ଆଶଙ୍କା କରାଯାଉଛି ।

Comments are closed.