ତାଲିବାନ ନିୟନ୍ତ୍ରଣରେ ପଞ୍ଜଶୀର ଉପତ୍ୟକା ! ଯୁଦ୍ଧ ବିରତି ପ୍ରସ୍ତାବ ଦେଲେ ମାସୁଦ୍

କାବୁଲ: ଆଫଗାନିସ୍ତାନର ପଞ୍ଜଶୀରରେ ତାଲିବାନ ସହ ଚାଲିଥିବା ସଂଘର୍ଷରେ ବିଦ୍ରୋହୀ ଗୋଷ୍ଠୀ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ (ଏନ୍ଆରଏଫ୍)କୁ ବଡ଼ ଝଟକା ଲାଗିଛି। ତାଲିବାନ ଆକ୍ରମଣରେ ବିଦ୍ରୋହୀ ଗୋଷ୍ଠୀର ମୁଖପାତ୍ର ଫହିମ ଦସ୍ତୀଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜେନେରାଲ ଅବଦୁଲ ଜାରାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ବିଦ୍ରୋହୀ ଗୋଷ୍ଠୀର ଅନେକ ଯୋଦ୍ଧା ମୃତାହତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ତାଲିବାନ ପଞ୍ଜଶୀର ଉପତ୍ୟକାକୁ ସେମାନେ ସମ୍ପୂର୍ଣ୍ଣ ଦଖଲକୁ ନେଇଥିବା ଦାବି କରିଛି ।

ଏସବୁ ମଧ୍ୟରେ ପଞ୍ଜଶୀରର ସିଂହ ଭାବେ ପରିଚିତ ଏନ୍ଆରଏଫ୍ ର ମୁଖ୍ୟ ଅହମ୍ମଦ ମାସୁଦ ପୁଣି ଥରେ ତାଲିବାନ ସାମ୍ନାରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ମାସୁଦ ଦାବି କରିଛନ୍ତି ଯେ ତାଲିବାନ ସେମାନଙ୍କ ଯୁଦ୍ଧବିମାନକୁ ପଞ୍ଜଶୀରରୁ ପ୍ରତ୍ୟାହାର କରି ନେଇଛି। ତାଲିବାନ ଯୁଦ୍ଧବିମାନ ବାଗଲାନ ପ୍ରଦେଶର ଆନ୍ଦ୍ରାବ ଜିଲ୍ଲାରୁ ମଧ୍ୟ ପ୍ରତ୍ୟାହାର କରିଛି।
ମାସୁଦ କହିଛନ୍ତି ଯେ ତାଲିବାନ ନିଜ ଯୁଦ୍ଧ ବିମାନ ଓ ପ୍ରତ୍ୟାହାର କରିବା ପରେ ଆମେ ଯୁଦ୍ଧ ବିରତି ଘୋଷଣା କରିବୁ ।

ଆଲୋଚନା ବିଫଳ ପାଇଁ ତାଲିବାନ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଦାୟୀ କରିଛି। ଚୀନ୍ ଗଣମାଧ୍ୟମ ସହ ସାକ୍ଷାତକାରରେ ତାଲିବାନର ନେତା ଅହମ୍ମଦୁଲ୍ଲା ୱାସିକ୍ କହିଛନ୍ତି ଯେ ପଞ୍ଜଶୀର ଆଫଗାନିସ୍ତାନର ଏକ ଅଂଶ। ଶାନ୍ତିପୂର୍ଣ୍ଣ ଭାବରେ ସରକାରରେ ଯୋଗଦେବାକୁ ଆମେ ବିରୋଧୀଙ୍କୁ ପ୍ରସ୍ତାବ ଦେଇଥିଲୁ କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆମର ଲକ୍ଷ୍ୟ ସ୍ଥାନୀୟ ଲୋକଙ୍କୁ କ୍ଷତି ପହଞ୍ଚାଇବା ନୁହେଁ। ଯେହେତୁ ଆଲୋଚନା ବିଫଳ ହୋଇଛି, ତେଣୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟତୀତ ଆମର କୌଣସି ବିକଳ୍ପ ନଥିଲା |

Comments are closed.