ଭାରତ ସହ ଉତ୍ତମ ସମ୍ପର୍କ ଚାହୁଁଛି ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଭାରତ ଆଶା ଆଶଙ୍କାରେ ରହିଛି । ତାଲିବାନକୁ ଭାରତ ମାନ୍ୟତା ଦେବ ନା ନାହିଁ ସେନେଇ ନାନା କଳ୍ପନା ଜଳ୍ପନା ଚାଲିଛି । ତେବେ ଭାରତ ସହ ତାଲିବାନ ଉତ୍ତମ ସମ୍ପର୍କ ରଖିବାକୁ ଆଗ୍ରହୀ ବୋଲି କହିଛନ୍ତି ଏହି ମୌଳବାଦୀ ସଂଗଠନାର ବରିଷ୍ଠ ନେତା ଶେର ମହମ୍ମଦ ଅବାସ୍ ଷ୍ଟାନିକଜାଇ ।

ଷ୍ଟାନିକଜାଇ କହିଛନ୍ତି ଯେ, ଭାରତ ସହ ଆମେ ରାଜନୈତିକ, ଅର୍ଥନୈତିକ ଓ ବାଣିଜ୍ୟ ସମ୍ପର୍କ ଚାହୁଁଛୁ । ପୂର୍ବରୁ ଯେଉଁଭଳି ଆଫଗାନିସ୍ତାନ ସହ ଭାରତର ସମ୍ପର୍କ ରହି ଆସିଛି ସେମିତି ସମ୍ପର୍କ ବଜାୟ ରହୁ ବୋଲି ଆମେ ଆଶା କରୁଛୁ ବୋଲି ଷ୍ଟାନିକଜାଇ ଆଫଗାନିସ୍ତାନର ଜାତୀୟ ଟିଭି ଚ୍ୟାନେଲ ‘ମିଲ୍ଲୀ’ ସହ ଏକ ସାକ୍ଷାତକାରରେ କହିଛନ୍ତି । ଷ୍ଟାନିକଜାଇ କହିଛନ୍ତି ଯେ, ପାକିସ୍ତାନ ଦେଇ ଭାରତ ସହ ବଣିଜ ବେପାର ଆଫଗାନିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆକାଶମାର୍ଗ ମଧ୍ୟ ଖୋଲା ରଖିବା ଆବଶ୍ୟକ ।

ଭାରତ ସର୍ବଦା ଆଫଗାନିସ୍ତାନକୁ ଆର୍ଥିକ ସହାୟତା କରିଆସିଛି । ତେବେ ତାଲିବାନ ଶାସନକୁ ଫେରିବା ପରେ ଭାରତ ତାର ନୀତି ବଦଳାଇବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କାରଣ ତାଲିବାନ ସହ ଭାରତର ତିକ୍ତ ଅନୁଭୂତି ରହିଛି । ପାକିସ୍ତାନୀ ଆତଙ୍କୀ ସଂଗଠନ ସହ ତାଲିବାନର ସମ୍ପର୍କକୁ ମଧ୍ୟ ଭାରତ ଅଣଦେଖା କରିପାରିବ ନାହିଁ । ଏ ସବୁ ଦୃଷ୍ଟିରୁ ତାଲିବାନ ସହ ଭାରତର କୂଟନୈତିକ ସମ୍ପର୍କ କିପରି ରହିବ ତାହା ଉପରେ ନଜର ରହିଛି ।

Comments are closed.