କୋଭିଡ୍ ପଜିଟିଭ୍ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କରୋନା ସଂକ୍ରମିତ ହେବାର ଦୁଇ ଦିନ ପରେ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କାବେରୀ ହସ୍ପିଟାଲ ଏକ ବିବୃତିରେ କହିଛି ଯେ କୋଭିଡ ଜନିତ ଲକ୍ଷଣଗୁଡିକର ପରୀକ୍ଷା ଏବଂ ପର୍ଯ୍ୟବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ଷ୍ଟାଲିନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ସେ ଟ୍ୱିଟ୍ କରି କହିଥିଲେ, ‘ମୁଁ ଆଜି କ୍ଳାନ୍ତ ଅନୁଭବ କରୁଥିଲି। କରୋନା ରିପୋର୍ଟ ପଜିଟିଭ୍ ହେବା ପରେ ମୁଁ ନିଜକୁ ଅଲଗା କରିଦେଇଛି | ଆସନ୍ତୁ ସମସ୍ତେ ମାସ୍କ ପିନ୍ଧି ସୁରକ୍ଷିତ ରହିବା ଏବଂ ଟିକାକରଣ କରିବା |”

ଗତ କିଛି ଦିନ ମଧ୍ୟରେ ସରକାର ସେୟାର କରିଥିବା ଫଟୋ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଥିଲା। ଜୁଲାଇ ୧୧ ଏବଂ ୧୨ରେ ଷ୍ଟାଲିନ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ ଏବଂ ଡିଏମକେ ନେତା କେ.ବୀରାମଣିଙ୍କ ସହିତ ଏକ ଗୋଷ୍ଠୀକୁ ଭେଟିଥିଲେ।

ତାମିଲନାଡୁରେ ସମ୍ପ୍ରତି ଦୈନିକ ପ୍ରାୟ ୨ ହଜାର କରୋନା ମାମଲା ରିପୋର୍ଟ ହେଉଛି। ବୁଧବାର ରାଜ୍ୟରେ ୨୨୬୯ ମାମଲା ପଞ୍ଜିକୃତ ହୋଇଥିବାବେଳେ ଚେନ୍ନାଇରେ ସର୍ବାଧିକ ୭୨୯ ମାମଲା ରିପୋର୍ଟ ହୋଇଥିଲା। ସାରା ରାଜ୍ୟରେ ଏବେ ୧୮,୨୮୨ ସକ୍ରିୟ ମାମଲା ରହିଛି।

ତେବେ ମାସ୍କ ନ ପିନ୍ଧିଲେ ରାଜ୍ୟ ସରକାର ୨୦୦ ଟଙ୍କା ଏବଂ ଶାରୀରିକ ଦୂରତା ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି। କିନ୍ତୁ ରାଜନେତାଙ୍କ ସମେତ ଲୋକମାନେ କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି ।

Comments are closed.