ଏୟାର ଇଣ୍ଡିଆକୁ କିଣିଲା ଟାଟା ସନ୍ସ୍

ନୂଆଦିଲ୍ଲୀ: ଋଣଗ୍ରସ୍ତ ଏୟାର ଇଣ୍ଡିଆକୁ କିଣିଛି ଟାଟା ସନ୍ସ୍ । ଏୟାର ଇଣ୍ଡିଆ ବିକ୍ରି ପାଇଁ ହୋଇଥିବା ନିଲାମରେ ଟାଟା ସର୍ବାଧିକ ୧୮,୦୦୦ କୋଟି ଟଙ୍କାର ବିଡ୍ ଦାଖଲ କରିଥିଲା। ବିନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ (ଡିପିଏମ୍) ସଚିବ ତୁହିନ୍ କାନ୍ତ ପାଣ୍ଡେ ଏହି ସୂଚନା ଦେଇଛନ୍ତି । ପାଣ୍ଡେ କହିଛନ୍ତି ଯେ ଡିସେମ୍ବର ୨୦୨୧ ଶେଷ ସୁଦ୍ଧା ଏୟାର ଇଣ୍ଡିଆ ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ । ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସଜେଟର ଚେୟାରମ୍ୟାନ୍ ଅଜୟ ସିଂ ଶେଷ ବିଡ୍ ଦାଖଲ କରିଥିଲେ ।

ସରକାରଙ୍କ ସର୍ତ୍ତ ଅନୁଯାୟୀ, ସଫଳ ବିଡର ଅର୍ଥାତ୍ ଟାଟା ସନ୍ସର ଏୟାର ଇଣ୍ଡିଆ ସହ ଏହାର ସହାୟକ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ଶତପ୍ରତିଶତ ନିୟନ୍ତ୍ରଣ ରହିବ। ଏଥି ସହିତ ଏଆଇଏସଟିଏସ୍ ରେ ୫୦ ପ୍ରତିଶତ ଅଂଶଧନ ମଧ୍ୟ ଟାଟା ସନ୍ସ୍ ପାଖରେ ରହିବ | ଏଆଇଏସଟିଏସ୍ ପ୍ରମୁଖ ଭାରତୀୟ ବିମାନବନ୍ଦରରେ କାର୍ଗୋ ଏବଂ ଆନୁସଙ୍ଗିକ ସେବା ଯୋଗାଏ | ବିନିବେଶ ନିୟମ ଅନୁଯାୟୀ ଟାଟାକୁ ଏୟାର ଇଣ୍ଡିଆର ଘରୋଇ ବିମାନବନ୍ଦରରେ ୪୪୦୦ ଘରୋଇ ଏବଂ ୧୮୦୦ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିବ। ଏଥି ସହିତ ପାର୍କିଂ ସ୍ଲଟର ନିୟନ୍ତ୍ରଣ ମଧ୍ୟ ଟାଟା ସନ୍ସକୁ ଦିଆଯିବ।

୭୦ ବର୍ଷ ପରେ ଏୟାର ଇଣ୍ଡିଆର ଏକପ୍ରକାର ଘର ବାହୁଡ଼ା ହୋଇଛି । ୧୯୩୨ରେ ଟାଟା ଗ୍ରୁପ୍ ଦ୍ୱାରା ଏୟାର ଇଣ୍ଡିଆ ବିମାନ ସେବା ଆରମ୍ଭ ହୋଇଥିଲା | ଟାଟା ଗ୍ରୁପ୍ ର ଜେଆରଡି ଟାଟା ଏହାର ପ୍ରତିଷ୍ଠାତା ଥିଲେ। ଏୟାର ଇଣ୍ଡିଆର ନାମ ଟାଟା ଏୟାର ସର୍ଭିସ ଥିଲା | ୧୯୩୮ ସୁଦ୍ଧା କମ୍ପାନୀ ଏହାର ଘରୋଇ ବିମାନ ଆରମ୍ଭ କରିଥିଲା | ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ଏକ ସରକାରୀ କମ୍ପାନୀ ହୋଇଥିଲା। ସ୍ୱାଧୀନତା ପରେ ସରକାର ଏଥିରେ ୪୯% ଅଂଶଧନ କିଣିଥିଲେ।

Comments are closed.