ଏୟାର ଇଣ୍ଡିଆକୁ କିଣିଲା ଟାଟା ସନ୍ସ୍, ୭୦ ବର୍ଷ ପରେ ଘରବାହୁଡ଼ା

ନୂଆଦିଲ୍ଲୀ: ଋଣଗ୍ରସ୍ତ ଏୟାର ଇଣ୍ଡିଆକୁ ଶେଷରେ ଏକ କ୍ରେତା ମିଳିଛି। ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ୍ ଜିତିଛି। ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସରକାରୀ ସୂତ୍ର ଅନୁଯାୟୀ, ଏୟାର ଇଣ୍ଡିଆର ବିକ୍ରୟ ପାଇଁ ପ୍ରସ୍ତୁତ ଦୁଇଟି ବିଡ୍ ମଧ୍ୟରୁ ସରକାର ଟାଟା ଗ୍ରୁପକୁ ଚୟନ କରିଛନ୍ତି। ଏୟାର ଇଣ୍ଡିଆ କିଣିବା ପାଇଁ ଟାଟା ଗ୍ରୁପ୍ ଏବଂ ସ୍ପାଇସଜେଟର ଚେୟାରମ୍ୟାନ୍ ଅଜୟ ସିଂ ଶେଷ ବିଡ୍ ଦାଖଲ କରିଥିଲେ ।

୭୦ ବର୍ଷ ପରେ ଏୟାର ଇଣ୍ଡିଆର ଏକପ୍ରକାର ଘର ବାହୁଡ଼ା ହୋଇଛି । ୧୯୩୨ରେ ଟାଟା ଗ୍ରୁପ୍ ଦ୍ୱାରା ଏୟାର ଇଣ୍ଡିଆ ବିମାନ ସେବା ଆରମ୍ଭ ହୋଇଥିଲା | ଟାଟା ଗ୍ରୁପ୍ ର ଜେଆରଡି ଟାଟା ଏହାର ପ୍ରତିଷ୍ଠାତା ଥିଲେ। ଏୟାର ଇଣ୍ଡିଆର ନାମ ଟାଟା ଏୟାର ସର୍ଭିସ ଥିଲା | ୧୯୩୮ ସୁଦ୍ଧା କମ୍ପାନୀ ଏହାର ଘରୋଇ ବିମାନ ଆରମ୍ଭ କରିଥିଲା ​​| ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହାକୁ ଏକ ସରକାରୀ କମ୍ପାନୀ କରାଯାଇଥିଲା। ସ୍ୱାଧୀନତା ପରେ ସରକାର ଏଥିରେ ୪୯% ଅଂଶଧନ କିଣିଥିଲେ।

୨୦୦୭ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆର ନିଟ୍ ଲାଭରେ ଆଦୌ ବୃଦ୍ଧି ଘଟିନଥିଲା । ମାର୍ଚ୍ଚ ୨୦୨୧ ଶେଷରେ ତଥା ପ୍ରଥମ ତ୍ରୈୟ ମାସିକ ସୁଦ୍ଧା ଏୟାର ଇଣ୍ଡିଆର ପ୍ରାୟ ୧୦,୦୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀ ଉପରେ ମୋଟ ୬୦,୦୭୪ କୋଟି ଟଙ୍କା ଋଣ ଥିଲା। କିନ୍ତୁ ବର୍ତ୍ତମାନ ଟାଟା ସନ୍ସଙ୍କୁ ଏଥିରୁ ୨୩,୨୮୬.୫ କୋଟି ଟଙ୍କା ଋଣ ବୋଝ ବହନ କରିବାକୁ ପଡିବ |

ସମ୍ପ୍ରତି ଏୟାର ଇଣ୍ଡିଆ ଦେଶରେ ୪୪୦୦ ଏବଂ ବିଦେଶରେ ୧୮୦୦ ଲ୍ୟାଣ୍ଡିଂ ଓ ପାର୍କିଂ ସ୍ଲଟ୍ ନିୟନ୍ତ୍ରଣ କରୁଛି।

Comments are closed.