ମହାକାଳେଶ୍ଵର ମନ୍ଦିରରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପୂଜାର୍ଚ୍ଚନା, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

ଉଜ୍ଜୈନ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ କ୍ରିକେଟରମାନେ ସୋମବାର ଉଜ୍ଜୈନର ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିର ପରିଦର୍ଶନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ ଏବଂ ୱାଶିଂଟନ୍ ସୁନ୍ଦର ଭସ୍ମ ଆଳତିରେ ସାମିଲ ହେବା ସହ ମହାକାଳେଶ୍ବରଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି | ଟିମ୍ ଇଣ୍ଡିଆର ଏହି ତିନି କ୍ରିକେଟର ମଧ୍ୟ ସେମାନଙ୍କ ସାଥୀ ଖେଳାଳି ରିଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି ।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମଙ୍ଗଳବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ରବିବାର ଇନ୍ଦୋରରେ ପହଞ୍ଚିଥିଲେ । ସୂର୍ଯ୍ୟକୁମାର, କୁଲଦୀପ ଏବଂ ୱାଶିଂଟନ୍ ସୁନ୍ଦର ଇନ୍ଦୋରରୁ ଆଜି ସକାଳେ ଉଜ୍ଜୈନକୁ ମହାକାଳେଶ୍ଵରଙ୍କ ଦର୍ଶନ କରିବାକୁ ଆସିଥିଲେ।

କ୍ରିକେଟରମାନେ ଧୋତି-ସୋଲା ପିନ୍ଧି ମନ୍ଦିର ଗର୍ଭଗୃହରେ ମହାକାଳେଶ୍ଵରଙ୍କ ପଞ୍ଚାମୃତ ଅଭିଷେକ କରିଥିଲେ। ଏହି ସମୟରେ ଉଜ୍ଜୈନ ସାଂସଦ ଅନିଲ ଫିରୋଜିଆ ମଧ୍ୟ ଖେଳାଳିଙ୍କ ସହ ଉପସ୍ଥିତ ଥିଲେ। ଏହି ତିନି କ୍ରିକେଟର ସାଧାରଣ ଭକ୍ତଙ୍କ ପରି ମହାକାଳ ମନ୍ଦିରରେ ଭସ୍ମାଳତିରେ ଯୋଗ ଦେଇଥିଲେ ଓ ନନ୍ଦୀ ହଲରେ ଭକ୍ତଙ୍କ ଗହଣରେ ବସିଥିଲେ। ଅନେକ ଭକ୍ତ ଖେଳାଳିଙ୍କୁ ଚିହ୍ନି ପାରିନଥିଲେ।

ମହାକାଳେଶ୍ଵର ଦର୍ଶନ ପରେ ସୂର୍ଯ୍ୟକୁମାର ଗଣମାଧ୍ୟମକୁ କଥା ହୋଇଥିଲେ। ସେ କହିଛନ୍ତି ‘ମହାକାଳଙ୍କୁ ଦର୍ଶନ କରି ବହୁତ ଭଲ ଲାଗିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଳତି ଦେଖିଲୁ | ମନ ଶାନ୍ତ ହୋଇଗଲା । ସବୁଠାରୁ ବଡ଼ କଥା ହେଉଛି, ଆମେ ରିଷଭ ପନ୍ତଙ୍କ ଆରୋଗ୍ୟ କାମନା କଲୁ। ସେ କେମିତି ସୁସ୍ଥ ହେବେ ତାହା ଗୁରୁତ୍ୱପୂର୍ଣ୍ଣ ।

ଉଲ୍ଲେଖଯୋଗ୍ୟ ଡିସେମ୍ବର ୩୦ରେ ଏକ କାର୍ ଦୁର୍ଘଟଣାରେ ପନ୍ତ ଆହତ ହୋଇଥିଲେ। ତାଙ୍କ କାର୍ ରୁରକି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମ୍ପ୍ରତି ସେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି । ସେ ସୁସ୍ଥ ହେଉଛନ୍ତି ବୋଲି ପନ୍ତ ଦୁର୍ଘଟଣା ପରେ ପ୍ରଥମ ଟ୍ୱିଟ୍ କରି କହିଛନ୍ତି ।

Comments are closed.