ସୀତାରମଣଙ୍କୁ ଟାର୍ଗେଟ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ, କହିଲେ ଏଣିକି ସବୁ ସାମଗ୍ରୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବୁ

ହାଇଦ୍ରାବାଦ: ତେଲେଙ୍ଗାନାରେ ଶାସକ ଦଳ ଟିଆରଏସ ଏମଏଲସି ଏବଂ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତା କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। କବିତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏଣିକି ତେଲ ଏବଂ ଡାଲି ପରି ମହଙ୍ଗା ଅତ୍ୟାବଶ୍ୟକ ସାମଗ୍ରୀ ପ୍ୟାକେଟ୍ ଉପରେ ଲଗାଯିବ ।

ନିଜାମାବାଦରେ ହିତାଧିକାରୀଙ୍କୁ ଟିଆରଏସ ସରକାରଙ୍କ ‘ଆଶ୍ରା’ ସାମାଜିକ ସୁରକ୍ଷା ପେନ୍‌ସନ୍‌ ବଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କବିତା ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଗରିବ ଲୋକଙ୍କ ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି। ସୀତାରମଣଙ୍କ ମନ୍ତବ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଫଟୋ କଣ୍ଟ୍ରୋଲ ଦୋକାନରେ ପୂର୍ବରୁ କେବେ ରହୁନଥିଲା ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗି ନଥିବାରୁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଗାଳି କରିଥିଲେ । ସୀତାରମଣ କହିଥିଲେ ଯେ ପ୍ରମୁଖ କଲ୍ୟାଣକାରୀ ଯୋଜନା ଅଧୀନରେ କେନ୍ଦ୍ର ସରକାର ଖାଦ୍ୟ ଶସ୍ୟ ଯୋଗାଣ କରୁଥିବାରୁ କଣ୍ଟ୍ରୋଲ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ ପୋଷ୍ଟର ଲାଗିବା ଉଚିତ ।

କବିତା କହିଛନ୍ତି, ‘ ଯଦି ସୀତାରମଣଜୀ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରଦର୍ଶିତ ହେଉ, ଆମେ ନିଶ୍ଚିତ ଭାବେ ତାହା କରିବୁ। ଆମେ ଗ୍ୟାସ୍ ସିଲିଣ୍ଡର, ୟୁରିଆ ପ୍ୟାକେଟ୍, ପେଟ୍ରୋଲ୍ ଏବଂ ଡିଜେଲ ପମ୍ପ, ତେଲ ଏବଂ ଡାଲି ପ୍ୟାକେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବୁ | ଯେଉଁ ସାମଗ୍ରୀର ମୂଲ୍ୟ ବଢୁଛି, ସେଥିରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲଗାଇବୁ।

Comments are closed.